ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତହବୁର ରାଣାକୁ ଏକ ସ୍ୱତନ୍ତ୍ର ବିମାନରେ ଗୁରୁବାର ଆମେରିକାରୁ ଭାରତ ଅଣା ଯାଇଛି । ଦିଲ୍ଲୀରେ ପହଞ୍ଚିବା ପରେ ପଟିୟାଲା ହାଉସ କୋର୍ଟରେ ହାଜର କରାଯାଇଛି । ଏହି ସମୟରେ ତହବୁର ରାଣାର ଫଟୋ ସାମ୍ନାକୁ ଆସିଛି । ଜାତୀୟ ତଦନ୍ତକାରୀ ଏଜେନ୍ସି(ଏନଆଇଏ) କହିଛି ଯେ, ପାକିସ୍ତାନର ମୂଳ ନିବାସୀ ୬୪ ବର୍ଷୀୟ କାନାଡାଇ ନାଗରିକ ରାଣାକୁ ଗୁରୁବାର ଏକ ସ୍ୱତନ୍ତ୍ର ବିମାନରେ ଆମେରିକାରୁ ଦିଲ୍ଲୀ ଅଣାଯାଇଛି ।
କୋର୍ଟରେ ହାଜର ସମୟରେ କୋର୍ଟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଶୁଣାଣି ସମୟରେ ରାଣା ପକ୍ଷରୁ ଓକିଲ ପୀୟୂଷ ସଚଦେବା ଉପସ୍ଥିତ ଥିଲେ । ମାମଲାରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ଲୋକ ଅଭିଯୋଜନ ନରେନ୍ଦ୍ର ମାନଙ୍କୁ ଓକିଲ ଭାବେ ନିଯୁକ୍ତ କରାଯାଇଛି । ସେ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଏହି କେସ୍ ଲଢିବେ ।
ମୁମ୍ବାଇ ଆତଙ୍କୀ ହମଲାର ଅଭିଯୁକ୍ତ ତହବୁର ରାଣାକୁ ଦିଲ୍ଲୀ ତିହାର ଜେଲ୍ର ଉଚ୍ଚ ସୁରକ୍ଷା ସଂପନ୍ନ ଓ୍ଵାର୍ଡରେ ରଖାଯିବ। ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ନେଇ ଆବଶ୍ୟକୀୟ ପ୍ରସ୍ତୁତି ସରି ସାରିଛି। ଜେଲ୍ ଅଧିକାରୀ ଅଦାଲତଙ୍କ ଆଦେଶ ଅପେକ୍ଷାରେ ଅଛନ୍ତି। ଅନ୍ୟପଟେ ପାକିସ୍ତାନ ତହବୁର ରାଣାକୁ ଚିହ୍ନି ନ ଥିନା କହିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ତହବୁର ରାଣା ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ ନିଜର ପାକିସ୍ତାନୀ କାଗଜପତ୍ରର ନବୀକରଣ କରି ନାହିଁ। ତେଣୁ ସେ ବର୍ତ୍ତମାନ ପାକିସ୍ତାନୀ ନୁହେଁ ବରଂ କାନାଡ଼ାର ନାଗରିକ।
ସେ ଲସ୍କର ଇ ତୋଇବା ଦ୍ଵାରା ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତି ଥିଲା। ତହବୁର ରାଣା ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣେ ଡେଭିଡ କୋଲେମାନ ହେଡଲୀ ଓରଫ ଦାଉଦ ଗିଲାନୀଙ୍କ ନିକଟତର ସହଯୋଗୀ ଥିଲା।