ନୂଆଦିଲ୍ଲୀ: ଦେଶରେ ବିକ୍ରି ହେଉଥିବା କେତେକ ପ୍ରସିଦ୍ଧ ହ୍ୱିସ୍କି ଏବଂ ରମ୍ର ନିର୍ଦ୍ଦିଷ୍ଟ ଭାରିଆଣ୍ଟ ଉପରେ କଟକଣା ଜାରି କରାଯାଇଛି। ଦେଶର ଖାଦ୍ୟ ସୁରକ୍ଷା ନିୟାମକ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କଡ଼ା ପଦକ୍ଷେପ ଗ୍ରହଣ କରିଛି। ବ୍ୟାନ୍ କରାଯାଇଥିବା ମଦ ବିକ୍ରି କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ ଚେତାବନୀ ଦିଆଯାଇଛି।
ଏହି ବ୍ୟାନ୍ ପରିସରରେ ଡିଆଜିଓ ଇଣ୍ଡିଆର 'ୟୁନାଇଟେଡ୍ ସ୍ପିରିଟ୍ସ' (USL), 'ଇନବ୍ରୁ ବେଭରେଜେସ୍' ଏବଂ 'ମୋହନ ରକି ସ୍ପ୍ରିଙ୍ଗୱାଟର' ଭଳି ଦେଶର ବଡ଼ ବଡ଼ କମ୍ପାନୀଗୁଡ଼ିକ ସାମିଲ ଅଛନ୍ତି। ମଧ୍ୟପ୍ରଦେଶରେ ଉତ୍ପାଦିତ ହେଉଥିବା 'ଆଣ୍ଟିକ୍ୱିଟି ବ୍ଲୁ', 'ରୟାଲ ଚ୍ୟାଲେଞ୍ଜ', 'ବ୍ୟାଗପାଇପର୍ ଡିଲକ୍ସ' ହ୍ୱିସ୍କି ଏବଂ 'ଓଲ୍ଡ କାସ୍କ ଡିଲକ୍ସ' ରମ୍ର ବିକ୍ରି ଉପରେ ରୋକ୍ ଲଗାଯାଇଛି। ଏହାସହ ମହାରାଷ୍ଟ୍ରରେ ପ୍ରସ୍ତୁତ ପ୍ରସିଦ୍ଧ 'ଓଲ୍ଡ ମଙ୍କ୍' ରମ୍ର ତିନୋଟି ଭିନ୍ନ ଭାରିଆଣ୍ଟକୁ ମଧ୍ୟ ନିଷିଦ୍ଧ କରାଯାଇଛି।
FSSAIର ପରୀକ୍ଷାଗାର ଯାଞ୍ଚରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଏହି ସବୁ କମ୍ପାନୀଗୁଡ଼ିକ ଉତ୍ପାଦନ ଖର୍ଚ୍ଚ କମାଇବା ପାଇଁ ପ୍ରାକୃତିକ ସଂରକ୍ଷଣ ପ୍ରକ୍ରିୟା ବ୍ୟବହାର ନକରି କୃତ୍ରିମ 'ରମ୍ ଫ୍ଲେଭର୍' ଓ 'ହ୍ୱିସ୍କି ଫ୍ଲେଭର୍' ମିଶାଉଥିଲେ। ଆନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ମଦରେ ଏପରି କୃତ୍ରିମ ରସାୟନିକ ସ୍ୱାଦ ମିଶାଇବା ସମ୍ପୂର୍ଣ୍ଣ ଗ୍ରହଣଯୋଗ୍ୟ ନୁହେଁ।
ଗ୍ରାହକଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ପ୍ରତି FSSAI ବର୍ତ୍ତମାନ ବେଶ୍ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ପୂର୍ବରୁ ପେପ୍ସି ଓ ରେଡ୍ବୁଲ୍ ଭଳି ପ୍ରତିଷ୍ଠିତ ବ୍ରାଣ୍ଡ୍ଗୁଡ଼ିକୁ ଅତ୍ୟଧିକ କ୍ୟାଫିନ୍ଯୁକ୍ତ ପାନୀୟକୁ 'ଏନର୍ଜି ଡ୍ରିଙ୍କ୍' ନାମରେ ବିକ୍ରି ନକରିବାକୁ କୁହାଯାଇଥିଲା। ଏବେ ମଦ କମ୍ପାନୀଗୁଡ଼ିକର ଏହି ନିମ୍ନମାନର କାର୍ଯ୍ୟପନ୍ଥା ଉପରେ ନିୟାମକ ସଂସ୍ଥା ନିଜର କଡ଼ା ନଜର ରଖିଛି।
Also Read: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଲିଭ୍ ଇନ ପାର୍ଟନରଙ୍କୁ ବି ମିଳିବ ସ୍ତ୍ରୀ ପରି ଅଧିକାର