ନୂଆଦିଲ୍ଲୀ, ଫେବୃଆରୀ ୨୬ (ଖବର ଓଡ଼ିଶା):
୪ଟି ରାଜ୍ୟ ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ ଓ କେରଳ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ତାରିଖ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟ, ଆସାମରେ ୩ଟି ପର୍ଯ୍ୟାୟ ଏବଂ ତାମିଲନାଡ଼ୁ, କେରଳ, ପୁଡୁଚେରିରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ ।
ପଶ୍ଚିମବଙ୍ଗର ମୋଟ୍ ୨୯୪, ତାମିଲନାଡୁର ୨୩୨, କେରଳର ୧୪୦, ଆସାମର ୧୨୬ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ମୋଟ୍ ୩୦ଟି ଆସନ ପାଇଁ ହେବ ନିର୍ବାଚନ । ମୋଟ ୮୨୪ ବିଧାନସଭା କ୍ଷେତ୍ରରେ ମତଦାନ ହେବ । ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ୨.୭ ଲକ୍ଷ ବୁଥ୍ରେ ଭୋଟ୍ ଦେବେ ମୋଟ୍ ୧୮ କୋଟିରୁ ଅଧିକ ମତଦାତା । ଏହାସହିତ କେରଳର ମାଲ୍ଲାପୁରମ ଲୋକସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ।
ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ସୂଚନାନୁସାରେ, ମାର୍ଚ୍ଚ ୨୭, ଏପ୍ରିଲ ୧, ଏପ୍ରିଲ ୬, ଏପ୍ରିଲ ୧୦, ଏପ୍ରିଲ ୧୭, ଏପ୍ରିଲ ୨୨, ଏପ୍ରିଲ ୨୬, ଏପ୍ରିଲ ୨୯ ମତଦାନ କରାଯିବ ।
ଆସାମରେ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ତାରିଖଗୁଡିକ ହେଉଛି ମାର୍ଚ୍ଚ ୨୭, ଏପ୍ରିଲ ୧, ଏପ୍ରିଲ ୬ ।
କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ମତଦାନ ପାଇଁ ଏପ୍ରିଲ ୬ ଚୂଡାନ୍ତ ତାରିଖ ଘୋଷଣା ହୋଇଛି ।
ମେ ୨ ତାରିଖରେ ଏସବୁ ନିର୍ବାଚନ ପାଇଁ ଭୋଟ ଗଣତି ହେବ । ଭୋଟ୍ ବେଳେ କଡାକଡି ଭାବେ ପାଳନ ହେବ କୋଭିଡ୍ ଗାଇଡ୍ଲାଇନ୍ । ସମ୍ବେଦନଶୀଳ ବୁଥ୍ ଗୁଡିକରେ ସିସିଟିଭି ଲଗାଯିବ । ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ସମସ୍ତ ଅଧିକାରୀଙ୍କୁ ଭ୍ୟାକ୍ସିନ୍ ଦିଆଯିବ । ପ୍ରାର୍ଥୀମାନେ ଅନ୍ଲାଇନ୍ରେ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିପାରିବେ । ଭୋଟରଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ବ ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ମତଦାନ କେନ୍ଦ୍ର ଗୁଡିକରେ ସିଆରପିଏଫ ଯବାନ ମୁତୟନ ହେବେ ।