ନୂଆଦିଲ୍ଲୀ: ଦେଶର ବିମାନ ବ୍ୟବସ୍ଥାରେ ଜାରି ଅବ୍ୟବସ୍ଥା ମଧ୍ୟରେ ଡିଜିସିଏ ଶୁକ୍ରବାର ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଚାରି ଫ୍ଲାଇଟ୍ ଅପରେସନ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି । ଏହି ଅଧିକାରୀ ଏୟାରଲାଇନର ସୁରକ୍ଷା, ପାଇଲଟ ପ୍ରଶିକ୍ଷଣ ଓ ପରିଚାଳନା ଅନୁପାଳନ ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ନିରୀକ୍ଷଣ କରିଥାନ୍ତି । ଏହି କାର୍ଯ୍ୟାନୁଷ୍ଠାନ ସେହି ସମୟରେ ନିଆଯାଇଛି ଯେତେବେଳେ ଇଣ୍ଡିଗୋର ସିଇଓ ପିଟର ଏଲବର୍ସ ଆଜି ଡିଜିସିଏ ସାମ୍ନାରେ ହାଜର ହୋଇ ପାରନ୍ତି । ଗତ ଦିନରେ ଇଣ୍ଡିଗୋର ଶତାଧିକ ଉଡାଣ ରଦ୍ଦ ହେବାରୁ ସମଗ୍ର ଦେଶରେ ବିମାନ ଚଳାଚଳରେ ସଙ୍କଟ ଦେଖା ଦେଇଥିଲା ।
ଗତ ସପ୍ତାହ ଶୁକ୍ରବାର ସମଗ୍ର ଦେଶରେ ଇଣ୍ଡିଗୋ ୧୬୬୦ରୁ ଅଧିକ ଉଡାଣ ରଦ୍ଦ କରିଥିଲା । ଏହି ସଙ୍କଟର ମୁଖ୍ୟ କାରଣ ଇଣ୍ଡିଗୋ ଫ୍ଲାଇଟ ଡ୍ୟୁଟି ଟାଇମ ଲିମିଟେସନ ଫେଜ-୨ର ନିୟମ ପାଳନ କରି ନ ଥିଲା । ଇଣ୍ଡିଗୋର ଏମିତି ମନମୁଖୀ କାର୍ଯ୍ୟ ଏବଂ ଯାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କଠୋର ପଦକ୍ଷେପ ନେଇଥିଲେ । ଯାତ୍ରୀଙ୍କୁ ରିଫଣ୍ଡ ସୁନିଶ୍ଚିତ କରିବା ପାଇଁ ସମୟସୀମା ନିର୍ଦ୍ଧାରିତ କରାଯାଇଥିଲା । ଅନ୍ୟ ଏୟାରଲାଇନକୁ ଟିକେଟ୍ ଦର ନିୟନ୍ତ୍ରଣରେ ରଖିବାକୁ ଆଦେଶ ଦିଆଗଲା । ଏହା ବ୍ୟତୀତ ଇଣ୍ଡିଗୋକୁ ନିଜର ଦୈନିକ ଉଡାଣରେ ୧୦ ପ୍ରତିଶତ ହ୍ରାସ କରାଗଲା ।
ପିିଟିଆଇ ଅନୁଯାୟୀ, ଏହି ହ୍ରାସ ପରେ ଇଣ୍ଡିଗୋ ୧୯୫୦ ଉଡାଣ ସଞ୍ଚାଳିତ କରିବ । ଏଥିରେ ପ୍ରାୟ ୩ ଲକ୍ଷ ଯାତ୍ରୀ ଯାତ୍ରା କରିବେ । ସ୍ୱାଭାବିକ ଭାବେ ଇଣ୍ଡିଗୋ ପ୍ରତିଦିନ ପ୍ରାୟ ୨୩୦୦ ଡଉାଣ ସଞ୍ଚାଳିତ କରିଥାଏ । କିନ୍ତୁ ଇଣ୍ଡିଗୋର କାର୍ଯ୍ୟ ଶୈଳୀ ଦେଖି ଉଡାଣ ସଂଖ୍ୟାରେ ଡିଜିସିଏ ହ୍ରାସ କରିଛି । ସଂପ୍ରତି ଧିରେ ଧିରେ ବିମାନ ଚଳାଚଳ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି ।
Also read: ଜୋର୍ଡାନ-ଇଥିଓପିଆ-ଓମାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ