ଉତ୍ତର ପ୍ରଦେଶ ସ୍ଥିତ କାନପୁର ‘ଆଇଆଇଟି’ ଦେଶର ପ୍ରଥମ ହାଇପର-ଭେଲୋସିଟି ଏକ୍ସପାନସନ ଟନେଲ ବିକଶିତ କରି ଇତିହାସ ସୃଷ୍ଟି କରିଛି। ଦେଶର ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନ ଭାରତୀୟ ପ୍ରଦୌଗିକ ସଂସ୍ଥାନ ‘ଆଇଆଇଟି’ ଗବେଷଣା କ୍ଷେତ୍ରରେ ଏକ ନୂତନ ପୃଷ୍ଠା ଯୋଡ଼ା ହୋଇଛି।ଏହି ଏକ୍ସପାନସନ ଟନେଲ ପ୍ରଣାଳୀର ନାମ ରଖାଯାଇଛି S -2 । ଏହି ନୂତନ ଉଦ୍ଭାବନ ଫଳରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଓ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥାନ (DRDO) ବୈଜ୍ଞାନିକମାନେ ଏହାର ବିଶେଷ ଲାଭ ପାଇପାରିବେ ।
ଆଇଆଇଟି କାନପୁରର ଏରୋସ୍ପେସ୍ ଡିପାର୍ଟମେଣ୍ଟ ଏବଂ ଫୋଟନିକ୍ସ ଲେଜର ସେଣ୍ଟର ଆସୋସିଏଟ୍ ପ୍ରଫେସର ଇବ୍ରାହିମ ସୁଗାର୍ଣ୍ଣୋ କହିଛନ୍ତି ଯେ, ଏହି ଟନେଲକୁ ବର୍ତ୍ତମାନ ସୁଦ୍ଧା S-2 ସୁବିଧା ଭାବେ ନାମକରଣ କରାଯାଇଥିବା ବେଳେ ଏହାର ମୋଟ ଲମ୍ବ ୨୪ ମିଟର ରହିଛି। ଏରୋସ୍ପେସ୍ ଇଞ୍ଜିନିୟରିଂ ବିଭାଗରେ ହାଇପରସୋନିକ ଏକ୍ସପେରିମେଣ୍ଟାଲ ଏରୋଡାଇନାମିକ୍ସ ଲାବୋରେଟୋରୀରେ ଏହାର ନିର୍ମାଣ ଓ ପରୀକ୍ଷଣ କରାଯାଇଛି । ଏରୋନଟିକାଲ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ବୋର୍ଡ (ଏଆରଡିବି), ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଆଇଆଇଟି କାନପୁରର ସହଯୋଗରେ S-2 ସମ୍ପୂର୍ଣ୍ଣ ସ୍ୱଦେଶୀ ଭାବେ ଡିଜାଇନ ହୋଇଛି ।
ଆଇଆଇଟି କାନପୁରର ବିଶେଷଜ୍ଞ ଓ ଛାତ୍ରଙ୍କ ଦ୍ୱାରା ଦେଶର ପ୍ରଥମ ହାଇପର-ଭେଲୋସିଟି ଏକ୍ସପାନସନ ଟନେଲର ସଫଳ ପରୀକ୍ଷଣ ମଧ୍ୟ ଶେଷ ହୋଇଛି। ଏହା ସାହାଯ୍ୟରେ ଭବିଷ୍ୟତରେ ଏୟାରକ୍ରାଫ୍ଟର ବାଲିଷ୍ଟିକ କ୍ଷେପଣାସ୍ତ୍ରର ହାଇପରସୋନିକ ଗତି, ବାୟୁମଣ୍ଡଳୀୟ ପ୍ରବେଶ, ସ୍କ୍ରାମଜେଟ ଉଡ଼ାଣକୁ ଅନୁସରଣ କରାଯାଇପାରିବ । କାରଣ, ଏହି ଟନେଲ୍ ପ୍ରତି ସେକେଣ୍ଡରେ ୩ରୁ ୧୦ କିଲୋମିଟର ପର୍ଯ୍ୟନ୍ତ ବିମାନ ଗତି ସୃଷ୍ଟି କରିବାରେ ସକ୍ଷମ। ଆଇଆଇଟି କାନପୁରର ନିର୍ଦ୍ଦେଶକ ପ୍ରଫେସର ଡଃ ଏସ.ଗଣେଶ ଏହି ସଫଳତା ପାଇଁ ସମସ୍ତ ପ୍ରଫେସର ଓ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାକୁ ନିର୍ମାଣ କରିବା ପାଇଁ ୩ ବର୍ଷ ସମୟ ଲାଗିଥିଲା। ୩ ବର୍ଷ ଧରି ଏହା ଉପରେ ଗବେଷଣା ଓ ନିର୍ମାଣ ଜାରି ରହିଥିଲା। ଏହାକୁ ଅପଗ୍ରେଡ ମଧ୍ୟ କରାଯାଇପାରିବ। ଏହି ଏସ-2 ନିର୍ମାଣ ବହୁତ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା ବୋଲି ପ୍ରଫେସର ଇବ୍ରାହିମ କହିଛନ୍ତି। ଏହା ପଦାର୍ଥ ବିଜ୍ଞାନ ଓ ଉଚ୍ଚକୋଟୀର ଇଞ୍ଜିନିୟରିଂରେ ଗଭୀର ଜ୍ଞାନ ପାଇଁ ସଫଳ ହୋଇଛି ବୋଲି ସେ କହିଛନ୍ତି।
ଅଧିକ ପଢନ୍ତୁ : ଗୋଆରେ ଭାରତ ଶକ୍ତି ସପ୍ତାହ ୨୦୨୪ର ଉଦଘାଟନ