ନୂଆଦିଲ୍ଲୀ: ରିପବ୍ଲିକନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ଟ୍ରମ୍ପଙ୍କୁ ବିଜୟ ନେଇ ଶୁଭେଚ୍ଛା ଜଣାଇଛନ୍ତି । ଟ୍ରମ୍ପ ଏହା ପୂର୍ବରୁ ୨୦୧୬ରେ ଡେମୋକ୍ରାଟର ନେତା ହିଲାରୀ କ୍ଲିଣ୍ଟନଙ୍କୁ ହରାଇ ପ୍ରଥମ ଥର ଆମେରିକାର ରାଷ୍ଟ୍ରପତି ହୋଇଥିଲେ । ମାତ୍ର ୨୦୨୦ରେ ଜୋ ବାଇଡେନଙ୍କ ବିପକ୍ଷରେ ନିର୍ବାଚନ ହାରିଥିଲେ । ଆଉ ୪ ବର୍ଷ ପରେ ଦ୍ୱିତୀୟ ଥର ଟ୍ରମ୍ପ ଆମେରିକାର ଶୀର୍ଷ ପଦରେ ବସିବାକୁ ଯାଉଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ଆପଣଙ୍କ ଐତିହାସିକ ବିଜୟ ଉପରେ ଶୁଭକାମନା ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପ । ଯେମିତି ଆପଣ ନିଜର ଗତ କାର୍ଯ୍ୟକାଳର ସଫଳତାକୁ ଆଗକୁ ବଢାଇଥିଲେ, ମୁଁ ଆଶା କରୁଛି ଭାରତ ଓ ଆମେରିକା ମଧ୍ୟରେ ବ୍ୟାପକ ବୈଶ୍ୱିକ ଓ ରଣନୀତି ଭାଗିଦାରୀ ସହଯୋଗିତା ଶିଖରରେ ପହଞ୍ଚିବ । ଆମ ଲୋକଙ୍କ ଉନ୍ନତି ପାଇଁ ବୈଶ୍ୱିକ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ପାଇଁ ହାତ ମିଳାଇ କାମ କରିବା ।
ନିର୍ବାଚନ ନେଇ କଣ ଥିଲା ଭାରତର ଆଭିମୁଖ୍ୟ
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଙ୍ଗଳବାର କହିଥିଲେ, ଭାରତ ଆମେରିକା ଗତ ପାଞ୍ଚ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳରେ ନିରନ୍ତର ପ୍ରଗତି ଦେଖି ଆସିଛି । ସେ କହିଥିଲେ, ଆମେରିକା ନିର୍ବାଚନର ପରିଣାମ ଯାହା ବି ହେଉ ଆମେରିକା ସହିତ ତାଙ୍କ ସଂପର୍କ ସୁଦୃଢ ରହିବ ।
ସୂଚନାଯୋଗ୍ୟ, କମଳା ହ୍ୟାରିସଙ୍କୁ ହରାଇ ଟ୍ରମ୍ପ ଦ୍ୱିତୀୟ ଥର ଆମରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କୁ ୨୭୭ ଓ କମଳା ହ୍ୟାରିସଙ୍କୁ ୨୨୬ ଭୋଟ୍ ମିଳିଛି । ଏଥିସହିତ ଆମେରିକାର ୪୭ତମ ରାଷ୍ଟ୍ରପତି ହୋଇଛନ୍ତି ଟ୍ରମ୍ପ । ଆଉ ୪ ବର୍ଷ ପରେ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଟ୍ରମ୍ପ ।