ନୂଆଦିଲ୍ଲୀ: AIକୁ ନେଇ ବିଶ୍ୱରେ କଡା ଟକ୍କର ଚାଲିଥିବା ବେଳେ ଭାରତ ଏବେ ଧୀର ଧୀରେ ଗ୍ରାଉଣ୍ତ ଜିରୋ ପାଲଟୁଛି । ଗ୍ଲୋବାଲ ଟେକ୍ନୋଲୋଜି କମ୍ପାନି ଗୁଡ଼ିକ ଲାଗି ଭାରତ ଏବେ ପ୍ରମୁଖ ବଜାର ଭାବେ ଉଭା ହୋଇଛି । ନୂଆଦିଲ୍ଲୀରେ ବିଶ୍ବର ପ୍ରମୁଖ କମ୍ପାନି ଓପନ ଏଆଇ ଏହାର କାର୍ଯ୍ୟାଳୟ ସ୍ଥାପନ କରିବାକୁ ଘୋଷଣା କରି କରିବା ପରେ ଭାରତ ବଜାରକୁ ନେଇ ଏବେ ଉତ୍କଣ୍ଠା ବଢୁଛି। ଓପନ ଏଆଇ ସହପ୍ରତିଷ୍ଠାତା ତଥା ସିଇଓ ସାମ୍ ଅଲ୍ମ୍ୟାନ କହିଛନ୍ତି, ଏଆଇ କ୍ଷେତ୍ରରେ ଭାରତରେ ବଡ଼ ସୁଯୋଗ ରହିଛି। ଗ୍ଲୋବାଲ ଏଆଇ ଲିଡର ହେବା ଦିଗରେ ଭାରତ କ୍ଷମତା ରଖେ। ଏଠାରେ ଟେକ୍ ଟାଲେଣ୍ଟ, ବିଶ୍ଵ ସ୍ତରୀୟ ଡେପଲପର ଇକୋସିଷ୍ଟମ ଇଣ୍ଡିଆ ଏଆଇ ଇ- ମିଶନ ଭଳି ସରକାରଙ୍କ ସହଯୋଗ ଏହି କ୍ଷେତ୍ରକୁ ଉତ୍ସାହିତ କରିବା ଦିଗ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ।
ନିକଟରେ ଭାରତ ବଜାର ଲାଗି ମଧ୍ୟ ୩୯୯ ଟଙ୍କାର ଏକ ଅଫର ଆଣିଛି। କେନ୍ଦ୍ର ଇଲେକଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ସହ ମିଶି କମ୍ପାନି ଓପନଏ ଆଇ ଏକାଡେମୀ ଲଞ୍ଚ କରିଛି। ଏହା ଦ୍ଵାରା ଘରୋଇ ବଜାରରେ ଏଆଇ ସଚେତନତା ସୃଷ୍ଟି ଉପରେ କମ୍ପାନି ଧ୍ୟାନ କେନ୍ଦ୍ରିତ କରିବ। ଓପନ ଏଆଇର ଏହି ନିଷ୍ପଭିକୁ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସ୍ବାଗତ କରିଛନ୍ତି। ଡିଜିଟାଲ ନବସୃଜନ ଏବଂ ଏଆଇ ଗ୍ରହଣୀୟତା ଦିଗରେ ଏହା ଭାରତର କ୍ଷମତାକୁ ପ୍ରତିପାଦିତ କରୁଛି ବୋଲି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ପ୍ରତି ଲୋକ ଯେଭଳି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଲାଭପାଇବେ ସେଥିପାଇଁ ଏକ ଇକୋସିଷ୍ଟମ ଗଠନ ଦିଗରେ କେନ୍ଦ୍ର ସରକାର ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିବେ।
ଡାଟା କ୍ଷେତ୍ରରେ ଜିଓ ଭଳି ଏଆଇକୁ ଘରୋଇ ବଜାରରେ ଲୋକପ୍ରିୟ କରିବା ଲାଗି ଓପନ ଏଆଇ ଏଭଳି ସୁଲଭ ପ୍ଲାନ ଉପରେ ଧ୍ୟାନ କେନ୍ଦ୍ରିତ କରିଥିବା କୁହାଯାଉଛି। କେବଳ ଓପନ ଏଆଇ ନୁହେଁ ଅନ୍ୟ ପ୍ରମୁଖ କମ୍ପାନି ଗୁଗଲ, ମାଇକ୍ରୋସଫ୍ଟ ଭଳି କମ୍ପାନି ମଧ୍ୟ ଭାରତ ବଜାରକୁ ନେଇ ବେଶ ଆଶାବାଦୀ ରହିଛନ୍ତି । ଗୁଗଲର ଜେମିନି ପ୍ରିମିୟମ ୧୯୫୦ ଟଙ୍କାରେ ଉପଲବ୍ଧ ହେଉଛି। ଏଥିରେ ବିଭିନ୍ନ ସେବା ଲୋକଙ୍କ ଲାଗି ଉପଲବ୍ଧ କରାଉଛି କମ୍ପାନି । ସେହିଭଳି ଭାରତୀୟଙ୍କ ଦ୍ୱାରା ପ୍ରତିଷ୍ଠିତ ପରପ୍ଲେକ୍ସିଟି ଏଆଇ ବାର୍ଷିକ ୧୭ ହଜାର ଟଙ୍କିଆ ପ୍ଲାନ ଲାଗି ଏୟାରଟେଲ ସହ ଚୁକ୍ତି କରିଛି। ଏଲନ ମସ୍କଙ୍କ ଏକ୍ସ-ଏଆଇ ଭାରତରେ ସୁପର ଗ୍ରୋକ୍ ସୁବିଧା ମାସିକ ୭୦୦ ଟଙ୍କାରେ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।କମ୍ପାନିଙ୍କ ମଧ୍ୟରେ ଏହି ପ୍ଲାନ ଗୁଡ଼ିକୁ ନେଇ ମଧ୍ୟ ପ୍ରତିଯୋଗିତା ଲାଗିଲାଣି। ୨୦୪୭ ସୁଦ୍ଧା ଭାରତକୁ ଗ୍ଲୋବାଲ ଏଆଇ ହବ୍ ଭାବେ ବିକଶିତ କରିବା ସରକାରକ ଲକ୍ଷ୍ୟ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ କହିଥିଲେ ।