ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିକଟରେ ସମ୍ଭାଲସ୍ଥିତ ଶାହି ଜାମା ମସଜିଦ୍ ସର୍ଭେ ସମୟରେ ହିଂସାକାଣ୍ଡରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି, ତାହାର ମରାମତି ଖର୍ଚ୍ଚ ସେହି ଦୁର୍ବୃତ୍ତଙ୍କଠାରୁ ଆଦାୟ କରାଯାଉ ବୋଲି ସେ କହିଛନ୍ତି। ଜଣେ ବି ଅରାଜକତା ସୃଷ୍ଟିକାରୀ ଖସିଯିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।
ଗୌତମବୁଦ୍ଧନଗର ହେଉ, ଆଲିଗଡ଼ ହେଉ କି ସମ୍ଭାଲ କିମ୍ବା ଅନ୍ୟ କୌଣସି ଜିଲ୍ଲା, କାହାକୁ ଅରାଜକତା ସୃଷ୍ଟି କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ଯେଉଁମାନେ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି, ତାହାର ମରାମତି ଖର୍ଚ୍ଚ ସେହି ଦୁର୍ବୃତ୍ତଙ୍କଠାରୁ ଆଦାୟ କରାଯାଉ। ଅରାଜକତା ସୃଷ୍ଟି କରିଥିବା ଲୋକଙ୍କୁ ଚିହ୍ନଟ କରି ପୋଷ୍ଟର ଲଗାଇବା, ଜନସାଧାରଣଙ୍କ ସହଯୋଗ ନେବା, ବ୍ୟାପକ ସର୍ଚ୍ଚ ଅପରେସନ ଚଳାଇବା। ଜଣେ ବି ଦୁର୍ବୃତ୍ତଙ୍କୁ ଛଡ଼ାଯିବା ଉଚିତ ନୁହେଁ।
ସୂଚନାଯୋଗ୍ୟ, ଗତ ନଭେମ୍ବର ୨୪ ତାରିଖରେ ସ୍ଥାନୀୟ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଶାହି ଜାମା ମସଜିଦ୍ ସର୍ଭେ ବେଳେ ସମ୍ଭାଲ ଜିଲ୍ଲାରେ ହିଂସା କାଣ୍ଡ ଘଟିଥିଲା, ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ପାଖାପାଖି ଦୁଇ ଡଜନ ଲୋକ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ପୁଲିସ କର୍ମଚାରୀ ମଧ୍ୟ ଅଛନ୍ତି। ଏହି ହିଂସାକାଣ୍ଡ ଘଟଣାରେ ପୁଲିସ ୨୫୦୦ରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ କରିଛି। ଯେଉଁମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ସେମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ସମ୍ଭାଲ ସାଂସଦ ଜିଆ-ୟୋର-ରେହମାନ ବାର୍କ ଏବଂ ସମ୍ଭାଲ ବିଧାୟକ ଇକବାଲଙ୍କ ପୁଅ ସୋହେଲ ଇକବାଲ ରହିଛନ୍ତି।
ଅଧିକ ପଢ଼ନ୍ତୁ: ରାହୁଲ ଗାନ୍ଧୀଙ୍କ ଗାଡ଼ି ଗାଜିପୁର ସୀମାରେ ଅଟକିଲା