ନୂଆଦିଲ୍ଲୀ: ଦେଶବ୍ୟାପୀ ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନରେ ଗତ ୧୦ ତାରିଖ ଦିନ ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଶନିବାର ହେଉଛି। ଆଜି ସନ୍ଧ୍ୟା ସୁଦ୍ଧାର ଏହାର ଫଳାଫଳ ଆସିଯିବାର ସମ୍ଭାବନା ରହିଛି। ଯେଉଁ ଆସନଗୁଡ଼ିକରେ ମତଦାନ ହୋଇଛି, ଏଥିରୁ କିଛି ସିଟ୍ରେ ଲୋକସଭା ନିର୍ବାଚନ ପରେ ଖାଲି ହୋଇଛି। କିଛି ବିଧାୟକ ଲୋକସଭା ନିର୍ବାଚନରେ ବିଜୟୀ ହେଲା ପରେ ସାସଦ ହେବାକୁ ଚାହିଁଥିଲେ। ତେଣୁ ଏହି ବିଧାନସଭା ଆସନ ଖାଲି ହୋଇଥିଲା। ସେହିପରି କିଛି ବିଧାୟକଙ୍କ ମୃତ୍ୟୁ ପରେ ମଧ୍ୟ ଆସନ ଖାଲି ହୋଇଥିଲା। ତେଣୁ ବିଧାୟକଙ୍କ ଚୟନ ପାଇଁ ଉପନିର୍ବାଚନ କରାଯାଇଥିଲା।
ଗତ ୧୦ ତାରିଖରେ ବିହାର(ରୁପୌଲି)ରେ ଗୋଟିଏ, ମଧ୍ୟପ୍ରଦେଶ(ଅମରୱାଡା)ରେ ଗୋଟିଏ, ଉତ୍ତରାଖଣ୍ଡ(ବଦ୍ରୀନାଥ, ମଙ୍ଗଲୋର)ରେ ୨ଟି, ପଂଜାବ(ଜଳନ୍ଧର-ପଶ୍ଚିମ)ରେ ଗୋଟିଏ, ପଶ୍ଚିମବଙ୍ଗ(ରାୟଗଂଜ, ରାନାଘାଟ, ମାଣିକତାଲା, ବଗଦା)ରେ ୪ଟି, ତାମିଲନାଡୁ(ବିକ୍ରାବନ୍ଦୀ)ରେ ଗୋଟିଏ, ହିମାଚଳ ପ୍ରଦେଶ(ଦେହରା, ହମୀରପୁର, ନାଲାଗଡ଼)ରେ ୩ଟି ଆସନରେ ମତଦାନ ହୋଇଥିଲା। ଏହି ସବୁ ଆସନରେ ମତଦାନ ପାଇଁ ଗତମାସ ୧୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜୁନ ୨୧ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବାର ଅନ୍ତିମ ସମୟ ଥିଲା। ପ୍ରାର୍ଥିପତ୍ର ଯାଞ୍ଚ କରାଯାଇଥିଲା। ପ୍ରାର୍ଥିପତ୍ର ଫେରାଇ ନେବା ପାଇଁ ଜୁନ ୨୬ ତାରିଖ ନିର୍ଦ୍ଧାରଣ କରାଯାଇଥିଲା।
ପଂଜାବରେ ମୁଖ୍ୟମନ୍ତ୍ରୀ ଭଗୱତ ମାନ ଉପନିର୍ବାଚନ ପାଇଁ ଜଳନ୍ଧରରେ ଭଡ଼ାଘରେ ନେଇ ଅସ୍ଥାୟୀ ଠିକଣା କରିଛନ୍ତି। ରୁପୌଲି ଅସାନରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭବିଷ୍ୟତବାଣୀ ଓ ବିରୋଧୀ ଦଳ ଆରଜେଡିର ନୂଆ ସମୀକରଣ ମଧ୍ୟରେ ମୁକାବିଲା ହେବ। ତାମିଲନାଡୁରେ କ୍ଷମତାସୀନ ଡିଏମ୍କେ ଓ ଏନ୍ଡିଏର ସହଯୋଗୀ ପିଏମ୍କେ ମଧ୍ୟରେ ମୁକାବିଲା ହୋଇଛି।
ପଶ୍ଚିମବଙ୍ଗର ୪ଟି ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ କଡ଼ା ପରୀକ୍ଷା ହେବ। କାରଣ ୨୦୨୧ରେ ବିଜେପି ରାଣାଘାଟ ଦକ୍ଷିଣ, ବାଗଦା ଓ ରାୟଗଂଜ ଦଖଲ କରିଥିଲା। ମାଣିକତାଲାରେ ତୃଣମୂଳ କଂଗ୍ରେସକୁ ବିଜୟ ମିଳିଥିଲା। ବାଗଦାରେ ତୃଣମୂଳରୁ ମଧୁପର୍ଣ୍ଣା ଠାକୁରଙ୍କୁ ବିଜେପିର ବିନୟ କୁମାର ବିଶ୍ବାସ ଅବତୀର୍ଣ୍ଣ ହୋଇଛନ୍ତି। ରାୟଗଂରେ ଟିଏମ୍ସିରୁ କୃଷ୍ଣ କଲ୍ୟାଣୀ ଓ ବିଜେପିରୁ ମାନସ କୁମାର ଘୋଷ, ମାଣିକତାଲାରେ ତୃଣମୂଳରୁ ସୁପ୍ତି ପାଣ୍ଡେ ଓ ବିଜେପିରୁ କଲ୍ୟାଣ ଚୌବେ ଏବଂ ରାଜଘାଟ ଦକ୍ଷିଣରୁ ତୃଣମୂଳର ମୁକୁଟ ମଣି ଅଧିକାରୀଙ୍କୁ ବିଜେପିର ମନୋଜ କୁମାର ବିଶ୍ବାସ ମୁକାବିଲା କରୁଛନ୍ତି।
ଉପନିର୍ବାଚନରେ ମଧ୍ୟପ୍ରଦେଶ ଅମରୱାଡା ବିଧାନସଭା ଆସନରେ ସର୍ବାଧିକ ମତଦାନ ୭୮.୩୮ ପ୍ରତିଶତ ହୋଇଥିଲା। ପଶ୍ଚିମବଙ୍ଗର ବାଗଦା ଆସନରେ ୬୫.୧୫, ରାୟଗଂଜରେ ୬୭.୧୨, ମାଣିକତାଲାରେ ୫୧.୩୯ ଓ ରାଣାଘାଟ (ଦକ୍ଷିଣ)ରେ ୬୫.୩୭ ପ୍ରତିଶତ ମତଦାନ ହୋଇଥିଲା। ବିହାରର ଏକମାତ୍ର ଆସନ ରୁପୌଲିରେ ୫୧.୧୪ ପ୍ରତିଶତ, ହିମାଚଳ ପ୍ରଦେଶର ହମୀରପୁର ଆସନରେ ୬୫.୭୮, ନାଲାଗଡ଼ରେ ୭୫.୨୨, ଦେହରାରେ ୬୩.୮୯ ପ୍ରତିଶତ ଭୋଟିଂ ହୋଇଥିଲା। ପଂଜାବର ଜଳନ୍ଧର ବିଧାନସଭା ଆସନରେ ୫୧.୩୦, ତାମିଲନାଡୁର ଭିକ୍ରୱଣ୍ଡିରେ ୭୭.୭୩ ଓ ଉତ୍ତରାଖଣ୍ଡର ବଦ୍ରୀନାଥ ଆସନରେ ସବୁଠାରୁ କମ ୪୭.୬୮ ପ୍ରତିଶତ ମତଦାନ ହୋଇଥିଲା। ସେହିପରି ଉତ୍ତରାଖଣ୍ଡର ମଂଗଲୌରରେ ୬୭.୨୮ ପ୍ରତିଶତ ଭୋଟିଂ ହୋଇଥିଲା।