ଡେରାଡୁନ୍: ଉତ୍ତରାଖଣ୍ଡର ଆଲମୋଡ଼ାରେ ସୋମବାର ପୂର୍ବାହ୍ଣରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ମାର୍ଚୁଲା ଅଞ୍ଚଳ ନିକଟରେ ଯାତ୍ରୀଭର୍ତ୍ତି ବସ୍ ଖାଲକୁ ଖସି ପଡ଼ିଛି। ବସ୍ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଉଛି। ଏହି ଘଟଣା ପରେ ସ୍ଥାନୀୟ ଏସଏସପି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଏସଡିଆରଏଫର ୩ଟି ଟିମ୍ ଘଟଣାସ୍ଥଳରେ ପହଂଚିଛନ୍ତି।
ଏସଡିଏମ ସଞ୍ଜୟ କୁମାର କହିଛନ୍ତି ଯେ କିଛି ଲୋକ ପ୍ରାଣ ହରାଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଉଛି। ଆଲମୋଡ଼ାର ଥାନା ଲୁଣ ମାର୍ଚୁଲା ଅଞ୍ଚଳ ନିକଟରେ ଏହି ଦୁର୍ଘଟଣା ଘଟିଛି।
ବସ୍ଟି ଗଭୀର ଘାଟିକୁ ଖସି ପଡ଼ିବାରୁ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଜିଲ୍ଲାପାଳ ଆଲୋକ କୁମାର ପାଣ୍ଡେ କହିଛନ୍ତି ଯେ ବସ୍ଟି ଗଡ଼ୱାଲରୁ କୁମାଉଁ ଅଭିମୁଖେ ଯାଉଥିବା ବେଳେ ଆଲମୋଡ଼ାର ମାର୍ଚୁଲାଠାରେ ଏହି ଦୁର୍ଘଟଣା ଘଟିଥିଲା। ବସ୍ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ। ଘଟଣାସ୍ଥଳରେ ପୁଲିସ ଓ ଏସଡିଆରଏଫ ଯବାନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ଆଲମୋଡା ଏସପି ଦେବେନ୍ଦ୍ର ପିଞ୍ଚାଙ୍କ କହିବାନୁଯାୟୀ, ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ସଂଖ୍ୟା ବଢ଼ିପାରେ। ଉଦ୍ଧାର କାର୍ଯ୍ୟ ଜାରି ରହିଛି, ଲୋକଙ୍କୁ ବଞ୍ଚାଇବାରେ ଲାଗିଛି ପ୍ରଶାସନ।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, "ଆଲମୋଡା ଜିଲ୍ଲାର ମାର୍ଚୁଲାରେ ଘଟିଥିବା ଦୁର୍ଭାଗ୍ୟଜନକ। ବସ୍ ଦୁର୍ଘଟଣାରେ ଯାତ୍ରୀଙ୍କ ମୃତ୍ୟୁକୁ ନେଇ ଅତ୍ୟନ୍ତ ଦୁଃଖଦ ଖବର ମିଳିବା ପରେ ଜିଲ୍ଲା ପ୍ରଶାସନକୁ ଶୀଘ୍ର ରିଲିଫ ଓ ଉଦ୍ଧାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ଏସଡିଆରଏଫ ଟିମ୍ ଦ୍ରୁତଗତିରେ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି। ଆବଶ୍ୟକ ସ୍ଥଳେ ଗୁରୁତର ଆହତ ଯାତ୍ରୀଙ୍କୁ ଏୟାରଲିଫ୍ଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଅଧିକ ପଢ଼ନ୍ତୁ: ଚୋରି ଅଭିଯୋଗରେ ଅକଥନୀୟ ନିର୍ଯାତନା