ନାଗପୁର: ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠ ଜେଲରେ ଥିବା ଜଣେ ଗର୍ଭବତୀ ମହିଳାଙ୍କୁ ୬ ମାସ ପାଇଁ ଜାମିନ ପ୍ରଦାନ କରିଛନ୍ତି। ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟେନ୍ସ (ଏନଡିପିଏସ) ଆଇନ ଅନୁଯାୟୀ ଜେଲରେ ଥିବା ଏହି ମହିଳାଙ୍କୁ ମାନବିକତା ଦୃଷ୍ଟିକୋଣରୁ ଜାମିନ ମିଳିଛି। ପ୍ରସବ ଏବଂ ପ୍ରାରମ୍ଭିକ ଯତ୍ନ ଅବଧି ପାଇଁ ସେ ଜାମିନ ଆବେଦନ କରିଥିଲେ। କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି, ଯାହାଫଳରେ ସେ ସୁସ୍ଥ ହୋଇ ହାଜତକୁ ଫେରିପାରିବେ।
ଜଷ୍ଟିସ ଉର୍ମିଳା ଯୋଶୀ-ଫାଲକେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। କଏଦୀମାନଙ୍କ ପ୍ରତି ସମ୍ମାନ ଓ ମାନବିକ ଚିନ୍ତାଧାରା ଉପରେ ଗୁରୁତ୍ୱାରୋପ କରି ଖଣ୍ଡପୀଠ କହିଛନ୍ତି ଯେ ଜେଲର ଚାରି କାନ୍ଥ ମଧ୍ୟରେ ସନ୍ତାନ ଜନ୍ମ ଦେଲେ ଉଭୟ ମା' ଓ ଶିଶୁ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିପାରେ।
ଏହା ସତ ଯେ ସରକାରୀ ଡାକ୍ତରଖାନାଗୁଡିକ ଆବଶ୍ୟକୀୟ ସେବା ପ୍ରଦାନ କରିପାରିବେ। ପ୍ରସବ ସମୟରେ ଜେଲ୍ ପରିବେଶ ଉଭୟ ମା' ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ସ୍ଥାୟୀ ମାନସିକ ଓ ଶାରୀରିକ ପ୍ରଭାବ ପକାଇଥାଏ। ଜଷ୍ଟିସ ଯୋଶୀ-ଫାଲକେ କହିଛନ୍ତି ଯେ ଜେଲରେ ସନ୍ତାନ ଜନ୍ମ ଦେବା ଦ୍ୱାରା ସେମାନଙ୍କୁ ସେଭଳି ସମ୍ମାନ ଓ ଯତ୍ନ ମିଳିନଥାଏ। ବିଚାରପତି କହିଛନ୍ତି ଯେ ମହିଳାଙ୍କୁ ଜେଲ ବାହାରେ ସନ୍ତାନ ପ୍ରସବ କରିବାକୁ ଅନୁମତି ଦେବା ସାମ୍ବିଧାନିକ ପରମ୍ପରା ଅନୁଯାୟୀ।
ଗଣ୍ଡିଆରେ ରହୁଥିବା ଏହି ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସହ ଏନଡିପିଏସ ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି। ଚଳିତ ବର୍ଷ ଏପ୍ରିଲ ୩୦ ତାରିଖରେ ସେ ନିଷିଦ୍ଧ ସାମଗ୍ରୀ ନେଇ ଯାଉଥିବା ବେଳେ ରେଳବାଇ ପୁଲିସ ଫୋର୍ସ ହାତରେ ଧରାପଡ଼ିଥିଲେ। ଧରାପଡ଼ିବା ବେଳକୁ ମହିଳା ଜଣକ ଦୁଇ ମାସର ଗର୍ଭବତୀ ଥିଲେ।
ଅଧିକ ପଢ଼ନ୍ତୁ: ଶ୍ରୀହରିକୋଟାରୁ ପ୍ରୋବା-୩ ମିଶନ ଉତକ୍ଷେପଣ