ନୂଆଦିଲ୍ଲୀ: ପ୍ରଥମ ଥର ପ୍ରତ୍ୟେକ୍ଷ ନିର୍ବାଚନ ଲଢ଼ୁଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧୀ ପ୍ରାର୍ଥୀ ଘୋଷଣା କରିଛି ବିଜେପି। କେରଳ ୱାଇନାଡ୍ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ବିଜେପି ନଭ୍ୟା ହରିଦାସଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ କେରଳରେ ୱାୟନାଡ ଲୋକସଭା ଆସନ ପାଇଁ ଅନୁଷ୍ଠିତ ହେବାକୁ ଥିବା ଉପ ନିର୍ବାଚନରେ ପ୍ରାର୍ଥୀ କରିଛି। ନାଭ୍ୟାଙ୍କୁ ପ୍ରାର୍ଥୀ କରି ଦଳ ୱାୟନାଡରେ କଂଗ୍ରେସକୁ ମାତ୍ ଦେଇ ପାରିବ ବୋଲି ଆଶା ରଖିଛି।
ନଭ୍ୟା ହରିଦାସ ଜଣେ ମେକାନିକାଲ୍ ଇଞ୍ଜିନିୟର । ସେ କେରଳ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ। ସେ ଦୁଇ ଥର କୋଝିକୋଡେରୁ କାଉନସିଲର ହୋଇଛନ୍ତି। ୨୦୨୧ କେରଳ ବିଧାନସଭା ନିର୍ବାଚନରେ ସେ କୋଝିକୋଡେରୁ ଏନଡିଏର ପ୍ରାର୍ଥୀ ହୋଇଥିଲେ ହେଁ ପରାଜିତ ହୋଇଥିଲେ । ସେ ୨୦୦୭ ମସିହାରେ କେଏମସିଟି ଇଞ୍ଜିନିୟର କଲେଜ, କାଲିକଟ୍ ବିଶ୍ୱବିଦ୍ୟାଳୟରୁ ବି.ଟେକ୍ ଡିଗ୍ରୀ ହାସଲ କରିଥିଲେ । ଏଡିଆର ଅନୁସାରେ ନଭ୍ୟାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ । ତାଙ୍କ ପାଖରେ ମୋଟ ୧.୨୯ କୋଟି ଟଙ୍କର ସମ୍ପତ୍ତି ରହିଛି ।
ୱାୟନାଡ ହେଉଛି କଂଗ୍ରେସର ଗଡ । ୨୦୦୮ରେ ଏହି ଆସନ ଅସ୍ଥିତ୍ୱକୁ ଆସିବା ପରଠୁ କଂଗ୍ରେସ ଏଠାରୁ ଜିତି ଆସିଛି । ୨୦୧୯ରେ ରାହୁଲ ଗାନ୍ଧୀ ୱାୟନାଡରୁ ପ୍ରଥମଥର ନିର୍ବାଚନ ଲଢ଼ିବା ସହ ବିଜୟ ହୋଇଥିଲେ। ୨୦୨୪ରେ ସେ ୱାୟନାଡ ସହ ରାଏବରେଲୀ ଆସନରେ ନିର୍ବାଚନ ଲଢ଼ି ଦୁଇଟି ଯାକ ଆସନ ଜିତିଥିଲେ। ତେବେ ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ ତାଙ୍କୁ ଗୋଟିଏ ଆସନ ଛାଡିବାକୁ ପଡିଥିଲା । ସେ ରାୟବରେଲୀକୁ ନିଜ ପାଖରେ ରଖି ୱାୟନାଡ ଛାଡିଥିଲେ । ଫଳରେ ଏହି ସଂସଦୀୟ କ୍ଷେତ୍ରରେ ଉପ ନିର୍ବାଚନ ହେବାକୁ ଯାଉଛି ।