ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଅଯୋଧ୍ୟାର ରାମ ମନ୍ଦିର ଉଡ଼ାଇବାକୁ ଧମକ ଦେବା ପରେ ଏବେ ମଥୁରା ସମେତ ଅନେକ ବଡ଼ ମନ୍ଦିରକୁ ଉଡ଼ାଇବାକୁ ଧମକ ଦିଆଯାଉଛି। ମନ୍ଦିର ସହିତ ଆହ୍ଲାବାଦ ହାଇକୋର୍ଟ, ସୁପ୍ରିମକୋର୍ଟ ଓ ଦିଲ୍ଲୀ-ପ୍ରୟାଗରାଜ ଷ୍ଟେସନକୁ ମଧ୍ୟ ବୋମାରେ ଉଡ଼ାଇବାକୁ ହ୍ଵାଟ୍ସଆପ୍ରେ ଧମକ ଦିଆଯାଇଛି। ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ପକ୍ଷ ଥିବା ଆଶୁତେଷ ପାଣ୍ଡେଙ୍କ ହ୍ଵାଟ୍ସଆପ୍ରେ ଏହି ଧମକପୂର୍ଣ୍ଣ ମେସେଜ୍ ଆସିଛି।
ମେସେଜ୍ ଦେଖିବା ମାତ୍ରେ ପାଣ୍ଡେ ପ୍ରୟାଗରାଜ ପୋଲିସକୁ ଏହି ବିଷୟରେ ଜଣାଇଛନ୍ତି। ପୋଲିସ ସମସ୍ତ ସ୍ଥାନରେ ଆଲର୍ଟ ଜାରି କରିବା ସହ ସର୍ଚ୍ଚ ଅଭିଯାନ ଚଳାଇଛି। ଜିଆରପି ଧମକ ଦେଇଥିବା ମୋବାଇଲ୍ ନମ୍ବରର ଆଧାରରେ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି। ତେବେ ଏହା ପୂର୍ବରୁ ମଧ୍ୟ ଅନେକ ଥର ଆଶୁତୋଷ ପାଣ୍ଡେଙ୍କ ମୋବାଇଲ୍ ନମ୍ବରରେ ଏହି ଧରଣର ଧମକ ଅନେକ ଥର ମିଳି ସାରିଛି। ପ୍ରୟାଗରାଜ ଥାନାରେ ଆଶୁତୋଷ ଅନେକ ଥର କେସ୍ ରୁଜୁ କରାଇଛନ୍ତି। ସେହି କେସ୍ ଗୁଡିକରେ ଏ ପର୍ଯ୍ୟନ୍ତ ପୋଲିସ କୌଣସି ଗିରଫଦାରୀର ଖୁଲାସା କରିନି।
ପୋଲିସ ନିକଟରେ କରାଯାଇଥିବା ଅଭିଯୋଗ ଅନୁସାରେ, ଆଶୁତୋଷ ପାଣ୍ଡେଙ୍କ ମୋବାଇଲକୁ ବିଳମ୍ବିତ ରାତିରେ ଭଏସ ମେସେଜ୍ ଜରିଆରେ ଧମକ ଦିଆଯାଇଛି। ଏଥିରେ ଆହ୍ଲାବାଦ ହାଇକୋର୍ଟ, ସୁପ୍ରିମକୋର୍ଟ, ମଥୁରା ସମେତ ଅନେକ ମନ୍ଦିର, ପ୍ରୟାଗରାଜ ଓ ଦିଲ୍ଲୀର ରେଲଓ୍ଵେ ଷ୍ଟେସନକୁ ମଧ୍ୟ ବୋମାରେ ଉଡ଼ାଇବାକୁ ଧମକ ଦିଆଯାଇଛି।
ପୁଣି ତାଙ୍କ ହ୍ଵାଟ୍ସଆପ୍ରେ ଏକ ଘଣ୍ଟା ପରେ କଲ୍ ଆସିଥିଲା, ଯେଉଁଥିରେ ସମାନ ଧମକ ମିଳିଥିଲା। ପୂରା କଲ୍କୁ ରେକର୍ଡ କରାଯାଇ ରେଲଓ୍ଵେ ହେଲ୍ପଲାଇନ ନମ୍ବର ୧୩୯ରେ ତତ୍କାଳ ସୂଚନା ଦିଆଯାଇଥିଲା। ପୋଲିସ ଅଭିଯୋଗ ଆଧାରରେ ଷ୍ଟେସନରେ ପହଞ୍ଚି ବିଭିନ୍ନ ବଗି ଯାଞ୍ଚ କରିଥିଲା। ଏହା ସହିତ ସମ୍ବନ୍ଧିତ ସ୍ଥାନରେ ଆଲର୍ଟ ଜାରି କରାଯାଇଛି।