ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଧକ୍କା ଦେଇ କାରରେ ଘୋଷାଡ଼ି ନେଲେ ପୋଲିସ କର୍ମଚାରୀ। ତେବେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ କାର୍ ରେ କିଛି ବାଟ ଘୋଷାଡ଼ି ନେବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଏହାପରେ ସମସ୍ତ ଘଟଣାର ଫୁଟେଜ ସିସିଟିଭିରେ ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ପୋଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏପରିକି ତାଙ୍କୁ ଗିରଫ କରାଯିବା ସହ କାର୍ଯ୍ୟରୁ ନିଲମ୍ବନ ମଧ୍ୟ କରାଯାଇଛି।
ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ କେରଳର କନ୍ନୁରର ଏକ ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ ଜଣେ ପୋଲିସ କର୍ମୀ। ଏହା ପରେ ପେଟ୍ରୋଲ ପମ୍ପ କର୍ମଚାରୀ ତାଙ୍କୁ ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ଚାଲିଥିବା ବେଳେ କାର୍ ନେଇ ପୋଲିସ କର୍ମୀ ପଳାଇ ଯାଉଥିବା ବେଳେ ତାଙ୍କୁ ଅଟକାଇଥିଲେ ପେଟ୍ରୋଲ ପମ୍ପ କର୍ମଚାରୀ। ଏହି ସମୟରେ ପୋଲିସ କର୍ମୀ ତାଙ୍କୁ ଧକ୍କା ଦେଇ କାର୍ ବୋନେଟ୍ ପକାଇ କିଛି ବାଟ ଘୋଷାଡ଼ି ନେଇଥିଲେ।
ରାସ୍ତାର ଦୁଇ ପାଖରେ ପ୍ରାୟତଃ ଗୋଟେ କିଲୋମିଟର ଘୋଷାଡ଼ି ନେଇଥିଲେ। ତେବେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ହାତରେ ଆଘାତ ଲାଗିଥିବା ବେଳେ ସେ ବର୍ତ୍ତମାନ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି। ଏହାପରେ ଏହି ସମୟର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଘଟଣାର ତଦନ୍ତ କରି ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।