କେରଳ: ଦୁର୍ଘଟଣା ଯୋଗୁଁ ଅକାଳରେ ଚାଲିଗଲା ୫ ଜଣ ଡାକ୍ତରୀ ଛାତ୍ରଙ୍କ ଜୀବନ। କେରଳରେ ଘଟିଛି ଏଭଳି ଦୁଃଖଦ ଘଟଣା। କେରଳର ଆଲାପୁଝା ଜିଲ୍ଲାର କଲାରକୋଡ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର୍ ଓ ଯାତ୍ରୀବାହୀ ବସ୍ ମଧ୍ୟରେ ଧକ୍କା ଯୋଗୁଁ ୫ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ସମସ୍ତ ଛାତ୍ର ଏମ୍ବିବିଏସ୍ର ପ୍ରଥମ ବର୍ଷ ଛାତ୍ର ଥିବା ଜଣାପଡିଛି।
ସୋମବାର ବିଳମ୍ବିତ ରାତି ପାଖାପାଖି ୧୦ଟା ବେଳେ କାର-ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ମୁତାବିକ ଦୁର୍ଘଟଣା ସମୟରେ ସେହି ସ୍ଥାନରେ ପ୍ରବଳ ବର୍ଷା ହେଉଥିଲା। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଯାତ୍ରୀବାହୀ ବସ୍ ସହ କାରଟି ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ ଘଟଣାସ୍ଥଳରେ କାରଟି ଖଣ୍ଡ-ବିଖଣ୍ଡିତ ହୋଇଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଁଚି ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ। କଟର୍ ଯୋଗେ କାରର ଡୋର ଖୋଲି ମୃତକଙ୍କୁ ବାହାର କରିଥିଲେ।
କାର୍ ମଧ୍ୟରେ ମୋଟ୍ ୭ ଜଣ ଛାତ୍ର ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ ମୃତ ଅବସ୍ଥାରେ ଉଦ୍ଧାର ହୋଇଛଅନ୍ୟ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି। ମୃତ ୫ ଜଣ ଛାତ୍ର ଏମବିବିଏମ୍ର ପ୍ରଥମବର୍ଷର ଛାତ୍ର ବୋଲି ଜଣାପଡିଛି। ସମସ୍ତ ଆଲାପୁଝାର ଟିଡି କଲେଜରେ ପାଠ ପଢୁଥିଲେ।
ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେବେ ଦ୍ରୁତ ଗାଡି ଚାଳନା ଯୋଗୁଁ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ଯାତୀବାହୀ ବସ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ପୋଲିସ ମୃତଦେହ ଜବତ କରି ପୂରା ଘଟଣାର ତଦନ୍ତ କରୁଛି।