ନୂଆଦିଲ୍ଲୀ,ନଭେମ୍ବର 24 (ଖବର ଓଡିଶା)
ଦେଶରେ କରୋନା ସଂକ୍ରମଣ ଗମ୍ଭୀର ରହିଛି । ଗତ ୨୪ଘଣ୍ଟା ମଧ୍ୟରେ ୩୭ହଜାର ୯୭୫ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୯୧ଲକ୍ଷ ୭୭ ହଜାର ୮୪୧ ଛୁଇଁଛି । ସେପଟେ କରୋନା ମୃତ୍ୟୁସଂଖ୍ୟା ୧ଲକ୍ଷ ୩୪ହଜାର ୨୧୮ରେ ପହଞ୍ଚିଛି । ବର୍ତ୍ତମାନ ଚିନ୍ତାଜନକ ସ୍ଥିତିରେ ଅଛି ରାଜଧାନୀ ଦିଲ୍ଲୀ କରୋନା ସଂକ୍ରମଣ । ପ୍ରତି ଘଣ୍ଟାରେ ଯାଉଛି ୫ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ।
ଦିନ କୁ ଦିନ ପ୍ରଦୂଷଣ ମାତ୍ରା ବଢୁଥିବା ବେଳେ କରୋନା ସଂକ୍ରମଣ ମଧ୍ୟ ଚିନ୍ତା ବଢାଉଛି । ରାଜଧାନୀରେ ପାରଦ ଖସୁଥିବା ବେଳେ ବଢୁଛି ଶୀତର ପ୍ରକୋପ । ଆଉ ଗତ ଚାରି ଦିନ ହେବ କରୋନା ସଂକ୍ରମଣରେ ଦୈନିକ ୧୦୦ ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟୁଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ୧୦ ଦିନ ଭିତରେ ଏକ ହଜାରରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜଧାନୀରେ ମୋଟ ମୃତକ ସଂଖ୍ୟା ୮୫୨୨ ଛୁଇଁଛି । ଗତ ୨୪ ଘଣ୍ଟା ଭିତରେ ୧୨୧
ଜଣ କରୋନା ଆକ୍ରାନ୍ତ ଜୀବନ ହରାଇଛନ୍ତି । ପ୍ରତି ଘଣ୍ଟାରେ ୫ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଉଛି ।
ଦିଲ୍ଲୀରେ କରୋନା ସଂକ୍ରମଣକୁ ଲକ୍ଷ୍ୟରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଚିନ୍ତିତ ଥିବା ବେଳେ କରୋନା ନିୟମକୁ ଅଧିକ କଡାକଡି କରିଛନ୍ତି । ମାସ୍କ ନ ପିନ୍ଧିଲେ ଏଣିକି ୨୦୦୦ ଟଙ୍କା ଜୋରିମାନା ପୈଠ କରିବାକୁ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।