ବାରଣାସୀ: ନିଆଁର ଜ୍ୱଳାମୁଖୀରେ ଜଳି ଯାଇଛି ଶତାଧିକ ବାଇକ୍ । ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି ଉତ୍ତର ପ୍ରଦେଶର ବାରଣାସୀ କେଣ୍ଟ୍ ରେଳ ଷ୍ଟେସନ୍ ପାର୍କିଂ ସ୍ଥାନରେ । ଅଗ୍ନିଶମ ବାହିନୀ, ଜିଆରପି- ଆରପିଏଫ୍ ମିଳିତ ଭାବେ ନିଆଁକୁ ଆୟତ୍ତକୁ ଆଣିଛନ୍ତି । ପ୍ରାୟ ୨୦୦ ବାଇକ୍ ସମ୍ପୂର୍ଣ୍ଣ ଜଳି ଯାଇଛି ।
ବାରଣାସୀ କେଣ୍ଟ୍ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର-୧ ରେ ନିକଟରେ ଥିବା ଜିଆରପିର ପଛ ପାର୍ଶ୍ୱରେ ମୋଟର ସାଇକଲ୍ ଷ୍ଟାଣ୍ଡ ରହିଛି । ସେଠାରେ ରେଳ ବିଭାଗର କର୍ମଚାରୀ ଗାଡ଼ି ରଖନ୍ତି । ଶୁକ୍ରବାର ରାତି ପ୍ରାୟ ୧୦ଟା ୩୦ ସମୟରେ ସର୍ଟ ସର୍କିଟ୍ ହୋଇଥିଲା । ବିଦ୍ୟୁତ ବିଭାଗ କର୍ମଚାରୀମାନେ ତାକୁ ଠିକ୍ ମଧ୍ୟ କରିଥିଲେ । ଏହାର କିଛି ସମୟ ପରେ ପୁଣି ଥରେ ସର୍ଟ ସର୍କିଟ୍ ହୋଇଥିଲା । ଫଳରେ ପୁରା ଷ୍ଟାଣ୍ଡରେ ନିଆଁ ବ୍ୟାପି ଯାଇଥିଲା । ଅଗ୍ନିଶମ ବାହିନୀ, ଜିଆରପି- ଆରପିଏଫ୍ ମିଳିତ ଭାବେ ନିଆଁକୁ ଆୟତ୍ତକୁ ଆଣିଥିଲେ । କିନ୍ତୁ ଭୟାବହ ଅଗ୍ନିକାଣ୍ଡରେ ୨୦୦ ବାଇକ୍ ଜଳିଯାଇଥିବା ଜଣାପଡ଼ିଛି । ଏ ନେଇ ସୂଚନା ଦେଇଛନ୍ତି ଜିଆରପି କ୍ଷେତ୍ର ଅଧିକାରୀ କୁୱଁର ପ୍ରତାପ ସିଂହ । ଏ ନେଇ ତଦନ୍ତ ଜାରି ରହିଛି ।