ଜମ୍ମୁ-କାଶ୍ମୀରର ରଜୌରୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ସୁରକ୍ଷାବଳର ୨ ଜଣ ଯବାନ ଆହତ ହୋଇଛନ୍ତି । ଦୁହିଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ସନ୍ଧ୍ୟାରେ ରଜୌରୀ ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରେ କର୍ଡନ ଏବଂ ସର୍ଚ୍ଚ ଅପରେସନ ପରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥରେ ଦୁଇ ଯବାନ ଆହତ ହୋଇଥିବା ଅଧିକାରୀ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ରଜୌରୀ ଜିଲ୍ଲାର ସୁମ ବ୍ରୋହ ଜଙ୍ଗଲ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାବାହିନୀକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏହାପରେ ଭାରତୀୟ ସେନା, ଜମ୍ମୁ-କାଶ୍ମୀର ପୋଲିସ ସହିତ ସିଆରପିଏଫ ପୁରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ସୁରକ୍ଷାବଳ ମଧ୍ଯ ଏହାର ପାଲଟା ଜବାବ ଦେଇଥିଲେ । ସୋମବାର ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ରଜୌରୀ ଜଙ୍ଗଲରେ ଗୁଳି ବିନିମୟ ଜାରି ରହିଥିଲା । ଏହି ଏନକାଉଣ୍ଟରରେ ୨ ଜଣ ଯବାନ ଆହତ ହୋଇଯାଇଥିଲେ । ଉଭୟଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଆର୍ମି ହସ୍ପିଟାଲକୁ ନିଆଯାଇଥିଲା । ବର୍ତ୍ତମାନ ଉଭୟ ଯବାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି । ଅନ୍ୟପଟେ ଏ ସମ୍ପର୍କରେ ସୂଚନା ପାଇବା ପରେ ସେନା ଏବଂ ଜାମ୍ମୁ କାଶ୍ମୀର ପୋଲିସର ଏକ ମିଳିତ ଟିମ୍ ସୋମବାର କାଲାକୋଟ ଅଞ୍ଚଳର ବ୍ରୋହ ଏବଂ ସୋମ ଜଙ୍ଗଲର ସମସ୍ତ ମାର୍ଗକୁ ବନ୍ଦ କରି ଦେଇଛନ୍ତି । ପ୍ରତିରକ୍ଷା ମୁଖପାତ୍ର ଏ ସଂପର୍କରେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, କାଲାକୋଟର ସାଧାରଣ ଅଞ୍ଚଳରେ ମିଳିତ ଅପରେସନ ଆରମ୍ଭ କରାଯାଇଛି । ଆତଙ୍କବାଦୀଙ୍କ ଉପରେ ନଜର ରଖିବା ପାଇଁ ଟେକ୍ନୋଲୋଜି ବ୍ୟବହାର କରାଯାଉଛି । ବର୍ତ୍ତମାନ ଏକ ତୀବ୍ର ଅପରେସନ୍ ଚାଲିଛି । ରଜୌରୀ ଜିଲ୍ଲାର କାଲାକୋଟ ଜଙ୍ଗଲ ଅଞ୍ଚଳରେ ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ମିଳିଥିଲା । ଏହାପରେ ସୋମବାର ସେନା ବାହିନୀ କାଲାକୋଟ ଅଞ୍ଚଳର ବ୍ରୋହ ଏବଂ ସୋମ ଜଙ୍ଗଲ ଅଞ୍ଚଳକୁ ଘେରି ରହିଥିଲେ।
ପ୍ରକାଶ ଥାଉକି, ଗତ ମାସରେ ରଜୌରୀର ନର୍ଲା ଅଞ୍ଚଳରେ ଜାରି ରହିଥିବା ଆତଙ୍କୀ ବିରୋଧ ଅପରେସନରେ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ଜଣେ ଆତଙ୍କୀର ମୃତ୍ୟୁ ହୋଇଥିଲା। ଏନେଇ ଜାମ୍ମୁର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ମୁକେଶ ସିଂହ ସୂଚନା ଦେଇଥିଲେ । ମୃତକ ଜଣେ ପାକିସ୍ତାନୀ ଆତଙ୍କୀ ହୋଇଥିବା ସନ୍ଦେହ କରାଯାଇଥିଲା ।
ଅଧିକ ପଢନ୍ତୁ : ଅପରେସନକୁ ୧୦୦ ଘଣ୍ଟା ବିତି ସାରିଥିଲେ ବି,ସରୁନି ଏନକାଉଣ୍ଟର