ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୧୯୮୪ ଶିଖ ବିରୋଧୀ ଦଙ୍ଗା ସଂପର୍କିତ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କଂଗ୍ରେସର ପୂର୍ବତନ ସାଂସଦଙ୍କ ଦଣ୍ଡବିଧାନର ଶୁଣାଣି ହୋଇଛି । ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ମଙ୍ଗଳବାର ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଗତ ୧୨ ତାରିଖରେ ସ୍ଵତନ୍ତ୍ର ବିଚାରପତି କାବେରୀ ବବେଜା ସଜ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ ରାୟକୁ ସଂରକ୍ଷିତ ରଖିଥିଲେ । ଆଇପିସି ଧାରା ୩୦୨ ଏବଂ ୪୩୬ ଆଧାରରେ ଏହି ଦଣ୍ଡାଦେଶ ହୋଇଛି । ବର୍ତ୍ତମାନ ସଜ୍ଜନ କୁମାର ତିହାଡ଼ ଜେଲରେ ରହିବେ ।
ଅନ୍ୟପକ୍ଷରେ ସଜ୍ଜନ କୁମାରଙ୍କୁ ଆଜୀବନ କାରା ଦଣ୍ଡାଦେଶ ନେଇ ପୀଡ଼ିତା ମହିଳା ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ଫାଶୀ ଦଣ୍ଡ ପାଇଁ ଦାବି କରିଛନ୍ତି । ସେହିପରି ଶିଖ ସମ୍ପ୍ରଦାୟ ମଧ୍ୟ ସଜ୍ଜନ କୁମାର ଏବଂ କମଲନାଥଙ୍କୁ ଫାଶୀ ଦେବା ପାଇଁ ମଧ୍ୟ ଦାବି ଉଠାଇଛନ୍ତି ।
ବାପ ପୁଅଙ୍କୁ ଜୀବନ୍ତ ଜାଳି ଦେଇଥିଲେ ଦଙ୍ଗାକାରୀ
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦିଲ୍ଲୀରେ ବ୍ୟାପକ ପରିମାଣରେ ଶିଖ ବିରୋଧୀ ଦଙ୍ଗା ହୋଇଥିଲା। ୪୧ ବର୍ଷ ପୂର୍ବେ ୧୯୮୪ ନଭେମ୍ବର ୧ରେ ଅପରାହ୍ନ ୪ଟାରୁ ସାଢ଼େ ୪ଟା ମଧ୍ୟରେ ଦିଲ୍ଲୀର ସରସ୍ଵତୀ ବିହାରରେ ଯଶବନ୍ତ ସିଂ ଓ ତାଙ୍କ ପୁଆ ତରୁଣଦୀପ ସିଂଙ୍କୁ ଜୀବନ୍ତ ଜାଳି ଦିଆଯାଇଥିଲା । ସଜ୍ଜନ କୁମାରଙ୍କ ନେତୃତ୍ୱରେ ହଜାର ହଜାର ଦଙ୍ଗାକାରୀ ପୀଡ଼ିତାଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ଘରର ସାମଗ୍ରୀ ଲୁଟ୍ କରିବା ସହ ଘରେ ନିଆଁ ଲଗାଇ ଦେଇଥିଲେ। ବାପା ଓ ପୁଅଙ୍କୁ ଜୀବନ୍ତ ଜାଳି ଦିଆଯାଇଥିଲା । ପରିବାରର ଅନ୍ୟ ସଦସ୍ୟଙ୍କୁ ଅକଥନୀୟ ନିର୍ଯ୍ୟାତନା ଦିଆଯାଇଥିଲା ।
ପତ୍ରିକାରେ ଫଟୋ ଦେଖି ସଜ୍ଜନଙ୍କୁ ଚିହ୍ନିଥିଲେ ପୀଡ଼ିତା
ଆରମ୍ଭରେ ପଞ୍ଜାବୀ ବାଗ ପୋଲିସ ଥାନାରେ ମାମଲା ରୁଜୁ ହୋଇଥିଲା। ପରେ ଏହାର ତଦନ୍ତଭାର ଏସଆଇଟିକୁ ହସ୍ତାନ୍ତର କରାଯାଇଥିଲା। ସଜ୍ଜନ କୁମାର ପ୍ରାଥମିକ ତଦନ୍ତରୁ ହିଁ ଦୋଷୀ ବୋଲି ଜଣା ପଡିଥିଲା। ୨୦୨୧ ଡିସେମ୍ବର ୧୬ରେ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଥିଲା ।
ଅଭିଯୋଗକାରୀ ତାଙ୍କ ୧୯୮୫ର ସତ୍ୟପାଠରେ ଦର୍ଶାଇଛନ୍ତି ଯେ ସେ ଦଙ୍ଗାକାରୀ ଏବଂ ସେମାନଙ୍କ ନେତାଙ୍କୁ ଚିହ୍ନି ନଥିଲେ । କିନ୍ତୁ ଦେଢ଼ ମାସ ପରେ ଯେତେବେଳେ ସେ ଏକ ପତ୍ରିକାରେ କୁମାରଙ୍କ ଫଟୋ ଦେଖିଲେ, ଫଟୋଟି ସେହି ବ୍ୟକ୍ତିଙ୍କ ସହ ମେଳ ଖାଉଛି ଯିଏ ଦଙ୍ଗାକାରୀଙ୍କୁ ଆକ୍ରମଣ କରିବାକୁ ଉତ୍ସାହିତ କରିଥିଲେ । ୬/୯/୧୯୯୧ରେ ଜଷ୍ଟିସ ଜେଡି ଜୈନ ଓ ଜଷ୍ଟିସ ଡିକେ ଅଗ୍ରୱାଲଙ୍କୁ ନେଇ ଗଠିତ କମିଟି ଆଗରେ ରେକର୍ଡ କରାଯାଇଥିବା ବୟାନରେ ମଧ୍ୟ ଅଭିଯୋଗକାରୀ ଏହା ଉଲ୍ଲେଖ କରିଛନ୍ତି। ଏହି କମିଟି ୧୯/୧୦/୧୯୯୧ରେ ଦିଲ୍ଲୀ ପ୍ରଶାସକଙ୍କୁ ଚିଠି ଲେଖି ଏକ ନୂତନ ମାମଲା ରୁଜୁ କରିବାକୁ ଅନୁରୋଧ କରିଥିଲା, ଯାହାକୁ ଜଷ୍ଟିସ୍ ରଙ୍ଗନାଥନ ମିଶ୍ର କମିଶନଙ୍କ କମିଟି ୯/୯/୧୯୮୫ରେ ସୁପାରିସ କରିଥିଲା ।
୨୦୧୫ ଫେବ୍ରୁଆରି ୧୨ରେ ଗଠନ ହୋଇଥିଲା ଏସଆଇଟି
୧୯୮୪ ଦଙ୍ଗା ମାମଲାର ତଦନ୍ତ ପାଇଁ ୨୦୧୫ ଫେବ୍ରୁଆରି ୧୨ରେ ଗୃହ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଥିଲା । ଏସଆଇଟି ବର୍ତ୍ତମାନର ମାମଲାର ଚାର୍ଜସିଟକୁ ଭଲ ଭାବରେ ବିଚାର କରି ଯାଞ୍ଚ କରିବା ପରେ ଏହି ମାମଲାର ତଦନ୍ତ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲା। ୨୦୧୬ ନଭେମ୍ବର ୨୧ତାରିଖରେ ରୋହିଣୀ କୋର୍ଟଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିଲା । ଘଟଣାର ସମ୍ପର୍କରେ ଏସ୍ଆଇଟି ନିକଟରେ ସାକ୍ଷ୍ୟ ଦେବାକୁ ଗଣମାଧ୍ୟମରେ କୁହାଯାଇଥିଲା। ତଦନ୍ତ ସମୟରେ ମାମଲାର ପ୍ରମୁଖ ସାକ୍ଷୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବୟାନ ରେକର୍ଡ କରାଯାଇଥିଲା। ୨୦୧୬ ନଭେମ୍ବର ୨୩ତାରିଖରେ ପୁଣି ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରାଯାଇଥିଲା।
ଏହି ମାମଲାରେ ମୁଖ୍ୟ ସାକ୍ଷୀ ହେଉଛନ୍ତି ଯଶବନ୍ତ ସିଂହଙ୍କ ପତ୍ନୀ, ତାଙ୍କ ଝିଅ ଏବଂ ତାଙ୍କ ଝିଆରୀ । ଫେବ୍ରୁଆରି ୨୫, ୨୦୨୧ରେ ସକ୍ଷମ କର୍ତ୍ତୃପକ୍ଷ ସାକ୍ଷୀ ସୁରକ୍ଷା ଯୋଜନା, ୨୦୧୮ ଅଧୀନରେ ଏକ ଆଦେଶ ଜାରି କରି ଏହି ତିନି ଜୀବିତ ପୀଡ଼ିତାଙ୍କ ପରିଚୟ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାଦ୍ୱାରା ସେମାନେ କୌଣସି ପ୍ରକାରରେ ଭୟଭୀତ, ଧମକ କିମ୍ବା ପ୍ରଭାବିତ ନହୁଅନ୍ତି । ଅଭିଯୁକ୍ତ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଶୁଣାଣି ସମୟରେ ସେମାନେ ମୁକ୍ତ ଭାବରେ ସାକ୍ଷ୍ୟ ଦେବାକୁ ସକ୍ଷମ ହେବା ଉଚିତ୍।