ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡିକୁ ପୁରିଲାଣି ୧୫୦ ଘଣ୍ଟା । ଗତ ରବିବାରରୁ ଟନେଲ ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ । ଅକ୍ଲାନ୍ତ ପରିଶ୍ରମ ଓ ଚେଷ୍ଟା ସତ୍ୱେ ଶ୍ରମିକମାନଙ୍କୁ ଉଦ୍ଧାର କରା ଯାଇପାରିନାହିଁ । ଗତକାଲି ଅପରାହ୍ନରେ ଡ୍ରିଲିଂ ଚାଲିଥିବା ବେଳେ ଟନେଲରେ ଡ୍ରିଲିଂ ଚାଲିଥିବା ବେଳେ ମାଟି ଅତଡ଼ା ଖସିଯାଇଥିବାରୁ କାର୍ଯ୍ୟକୁ ବନ୍ଦ କରାଯାଇଥିଲା ।
ଗତ ଶୁକ୍ରବାର ପାଇପକୁ ବିଛାଇବା ପାଇଁ ‘ଆମେରିକୀୟ ଓଗାର’ ମେସିନର ସାହାଯ୍ୟ ନିଆଯାଇଥିଲା । ଏହି ମେସିନରେ ପ୍ରାୟ ୨୪ ମିଟର ଡ୍ରିଲ କରାଯାଇଥିବାବେଳେ ଏକ ପ୍ଲେଟରେ ମେସିନ ମାଡ଼ ହେବାରୁ କାମକୁ ଅଧାରେ ବନ୍ଦ କରାଯାଇଥିଲା । ଫୋନ ସାହାଯ୍ୟରେ ଟନେଲରେ ଫସିଥିବା ଶ୍ରମିକମାନଙ୍କ ସହିତ ଯୋଗାଯୋଗ କରାଯାଉଛି ବୋଲି ସୂଚନା ମିଳୁଛି । ଫସିଥିବା ସମସ୍ତ ଶ୍ରମିକ ସୁସ୍ଥ ଓ ସୁରକ୍ଷିତ ଥିବା ମଧ୍ୟ ଜଣାପଡିଛି । ଶ୍ରମିକମାନଙ୍କ ପାଇଁ ପାଇପ ଯୋଗେ ଅକ୍ସିଜେନ, ଖାଦ୍ୟ ଓ ଔଷଧ ପଠାଯାଉଛି । ଶ୍ରମିକମାନଙ୍କୁ କିପରି ସୁରକ୍ଷିତ ଭାବରେ ଟନେଲରୁ ବାହାରକୁ ଅଣାଯିବ ସେଥିପାଇଁ ଉଦ୍ଧାରକାରୀ ଟିମ ଦିନ ରାତିକୁ ଏକ କରି ପ୍ରାୟ ୧୫୦ ଘଣ୍ଟା ହେଲାଣି ଚେଷ୍ଟା କରୁଛନ୍ତି । ସମସ୍ତ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି ଶ୍ରମିକମାନଙ୍କୁ ବାହାର କରିବା ପାଇଁ ଉଦ୍ଧାରକାରୀ ଦଳ ନିଜର ସମସ୍ତ ଜ୍ଞାନ ଓ କୌଶଳ ବ୍ୟବହାର କରୁଛନ୍ତି । ଦୀର୍ଘ ୭ ଦିନ ହେବ ଫସିରହିଥିବା ଶ୍ରମିକମାନଙ୍କ ପରିବାର ମଧ୍ୟ ଶାନ୍ତିରେ ରହି ପାରୁନାହାନ୍ତି । କେବେ ଫସିଥିବା ଶ୍ରମିକମାନେ ଟନେଲରୁ ବାହାରିବେ ତାହା ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।