ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଚେନାବ ନଦୀ ଉପରେ ନିର୍ମିତ ବିଶ୍ୱର ଉଚ୍ଚତମ ରେଳ ବ୍ରିଜର ଖୁବ ଶୀଘ୍ର ଶୁଭ ଉଦଘାଟନ ହେବାକୁ ଯାଉଛି । ଆସନ୍ତା ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକାର୍ପଣ କରିବେ । ଏ ନେଇ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ତାଙ୍କର ଏକ୍ସରେ ଏହି ସୂଚନା ଦେଇଛନ୍ତି । ଏଥିପାଇଁ ୧୨ଦିନରୁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି ବୋଲି ସେ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଚେନାବ ନଦୀ ଉପରେ ନିର୍ମିତ ବ୍ରିଜ୍ର ଲମ୍ବ ୧.୩ କିଲୋମିଟର ଓ ଉଚ୍ଚତା ୩୫୯ ମିଟର । ଉଧାମପୁର-ଶ୍ରୀନଗର-ବାରାମୂଲା ରେଳ ପ୍ରକଳ୍ପ ଅଧୀନରେ ଏହି ବ୍ରିଜ୍ ନିର୍ମାଣ କରାଯାଇଛି । ଆଗାମୀ ୧୨୦ ବର୍ଷ ପାଇଁ ନିର୍ମାଣ କରାଯାଇଛି । ଏଥିରେ ଭୂକମ୍ପ ନିରୋଧୀ ଏବଂ ଘଣ୍ଟାପ୍ରତି ୨୬୦ କି.ମି ବେଗର ପବନକୁ ସହ୍ୟ କରି ପାରୁଥିବା ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ସେହିପରି ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଜକୁ ଡିଆରଡିଓର ସହାୟତାରେ ବ୍ଲାଷ୍ଟପ୍ରୁଫ କରାଯାଇଛି । ଏଥିରେ ୨୯,୦୦୦ ମେଟ୍ରିକ୍ ଟନ୍ ଷ୍ଟିଲର ବ୍ୟବହାର କରାଯାଇଛି । ଏହା ଉପରେ ଦ୍ରୁତଗାମୀ ଟ୍ରେନର ସଫଳ ପରୀକ୍ଷଣ ହୋଇ ସାରିଛି ।