ଶ୍ରେଷ୍ଠ ଅନୁବାଦ ପାଇଁ କମଳା ଶତପଥୀଙ୍କୁ ମିଳିବ ୨୦୨୨ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ । ଓଡ଼ିଆ ଅନୁବାଦ ପୁସ୍ତକ ‘ସୁନେଲି ବାଦଲ’ ପାଇଁ କମଳା ଶତପଥୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ତେବେ ଅନୁବାଦ ପୁସ୍ତକ ଟି ହେଉଛି ତେଲୁଗୁ ଉପନ୍ୟାସ ‘ଭେଣ୍ଡି ମେଘମ୍’ ପୁସ୍ତକର | ତେବେ ଉକ୍ତ ତେଲଗୁ ପୁସ୍ତକର ରଚୟିତା ହେଉଛନ୍ତି ସୟଦ ସଲିମ ।
କମଳା ଶତପଥୀ "କ୍ୟାନସର୍ ନୁହେଁ ଅସାଧ୍ୟ ବେମାରୀ" ପୁସ୍ତକରେ କର୍କଟ ଉପରେ ଶହେଟି ପ୍ରଶ୍ନର ଉତ୍ତରକୁ ହିନ୍ଦୀରୁ ଓଡ଼ିଆକୁ ଅନୁବାଦ କରିଥିଲେ । ସେ ତେଲୁଗୁ ଭାଷାର ଉପନ୍ୟାସରୁ ଅନେକ ଉପନ୍ୟାସ ଅନୁବାଦ କରିଛନ୍ତି | ତା ମଧ୍ୟରୁ ଜୀବନର ସତ୍ୟତା, ରାଣୀର କାହାଣୀ, ଧ୍ବଂସ ତଳର ଜୀବନ ପୁସ୍ତକ ଅନ୍ୟତମ । ଏହା ସହ ଅନେକ ଗଳ୍ପ ସଂକଳନ ମଧ୍ୟ କରିଛନ୍ତି କମଳା ଶତପଥୀ | ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ, ପୂର୍ଣ୍ଣଚ୍ଛେଦ ପରର କାହାଣୀ, ଗୋଟିଏ ପାପର କାହାଣୀ, ସଂପର୍କର ଦୋ’ଛକିରେ ମଣିଷ, ମହାପାତ୍ର ବାବୁଙ୍କ ହାଲ୍ ଚାଲ୍ ଭଳି ଅନେକ ପୁସ୍ତକ ସେ ରଚନା କରିଛନ୍ତି । ସେହଭିଳି "ଶେଷ ଫଗୁଣ" କବିତା ମଧ୍ୟ ଉଲ୍ଲେଖ କରିଛନ୍ତି କମଳା ଶତପଥୀ ।
ତେବେ ୨୦୨୨ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ର ପୁରସ୍କାର ବାବଦରେ ତାଙ୍କୁ 50 ହଜାର ଟଙ୍କା ଓ ଏକ ତାମ୍ର ଫଳକ ମିଳିବ । ବିଭିନ୍ନ କବିତା, ଉପନ୍ୟାସ ଓ ଗଳ୍ପ ସଙ୍କଳନ ପାଇଁ ତାଙ୍କୁ ସୁଧନ୍ୟା ଗଳ୍ପ ସମ୍ମାନ, ଓଡ଼ିଶା ଲେଖିକା ସମ୍ମାନ, ପ୍ରତିଭା ପୂଜା ସଂସଦ ସମ୍ମାନ, ସାହାଣମେଲା ସମ୍ମାନ, ଗନ୍ଧଗିରି ସମ୍ମାନ ଭଳି ଅନେକ ସମ୍ମାନରେ ତାଙ୍କୁ ସମ୍ମାନୀତ କରାଯାଇଛି । ଶବ୍ଦସୃଷ୍ଟି ପରିବାର ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇଛନ୍ତି କମଳା ।