ନୟାଗଡ, ଜାନୁଆରୀ ୧୪ (ଖବର ଓଡିଶା) :
୨୦୦୭ର ଏକ କଙ୍ଗାରୁ କୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ। ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ସତ୍ୟପ୍ରକାଶ ନାୟକ। ୨୦୦୭ ମସିହାରେ ନୟାଗଡ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଖଲିପାଟଣା ଗ୍ରାମର ପ୍ରାୟ ୧୫ଟି ପରିବାର କଙ୍ଗାରୁ କୋର୍ଟର ଶିକାର ହୋଇ ଗାଁ ବାହାରେ ରହୁଛନ୍ତି। କିନ୍ତୁ ନିଜ ଉପରୁ ଦୋଷ ହଟାଇବାକୁ ଯାଇ ରଣପୁର ବିଧାୟକଙ୍କ ଗୃହରେ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗୃହ ରାଷ୍ଟ୍ର ମନ୍ତ୍ରୀ ମିଥ୍ୟା ତଥ୍ୟ ରଖିଥିଲେ। ୨୦୧୮ରେ ହାଇକୋର୍ଟ କହିଥିଲେ ବାସନ୍ଦ ଲୋକଙ୍କୁ ଗାଁରେ ଥଇଥାନ କର। ହାଇକୋର୍ଟର ଆଦେଶକୁ ସରକାର ପାଳନ କରିନାହାନ୍ତି। ଆଜି ଏନେଇ ପ୍ରଦେଶ କଂଗ୍ରେସ କମିଟି ମିଥ୍ୟା ପ୍ରମାଣିତ କରିବା ସହ ନୈତିକତା ଦୃଷ୍ଟିରୁ ଦିବ୍ୟ ଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ପ୍ରବକ୍ତା ସତ୍ୟ ପ୍ରକାଶ ନାୟକ ଦାବି କରିଛନ୍ତି।
୨୫ ନଭେମ୍ବର ୨୦୧୯ରେ ବିଧାନସଭାରେ ଦିବ୍ୟ ଶଙ୍କର ମିଶ୍ର କହିଥିଲେ ଯେ, କଙ୍ଗାରୁ କୋର୍ଟରେ ବାସନ୍ଦ ହୋଇଥିବା ୧୨ଟି ପରିବାର ଗାଁକୁ ଫେରିଛନ୍ତି। କିନ୍ତୁ ବାସନ୍ଦ ହୋଇଥିବା ୨ ପରିବାରର ମହିଳା ଆଜି କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ୧୨ ବର୍ଷ ହେଲା ସେମାନେ ବାହାରେ ରହୁଛନ୍ତି । ନୟାଗଡ଼ ରଣପୁରର ଖଲିପଟଣା ଗାଁରେ ୧୨ ପରିବାରକୁ ୧୨ ବର୍ଷ ହେଲାଣି ନିଆଁ ପାଣି ବାସନ୍ଦ କରାଯାଇଥିଲା। ୨୦୦୭ରେ ରାଜ୍ୟ ମାନବ ଅଧିକାର କମିଶନଙ୍କ ସ୍ୱତନ୍ତ୍ର ଟିମ ସେଠାକୁ ଗସ୍ତ କରି ଶାନ୍ତି କମିଟି ଗଠନ କରିବାକୁ କହିଥିଲେ। ହେଲେ ତାହା ପାଳନ କରାଯାଇଥିଲା। ଏପରିକି ଜାତୀୟ ମାନବଧିକାର କମିଶନ ନୟାଗଡ଼ ଜିଲ୍ଲାପାଳ ଏବଂ ଏସପିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହିତ କଙ୍ଗାରୁ କୋର୍ଟକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଇଛନ୍ତି ସିଧାସଳଖ ଉତ୍ତର ମାଗିଥିଲେ ମଧ୍ୟ ଫଳ ଶୂନ। ଯାହାକି ରାଜ୍ୟ ସରକାରଙ୍କ ଅପାରଗତା ଦର୍ଶାଉଛି। ତେଣୁ ବିଧାନସଭାରେ ମିଛ କହିଥିବାରୁ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ ବୋଲି ସତ୍ୟ ପ୍ରକାଶ ନାୟକ ଦାବି କରିଛନ୍ତି।