ପଞ୍ଜାବ ଛାଡ଼ିଲେ ଅଶ୍ଵିନ, ଆଇପିଏଲ-୨୦୨୦ରେ ଦିଲ୍ଲୀ ପକ୍ଷରୁ ଖେଳିବେ
Khabar Odisha:sports--cricket--odisha-ravichandran-ashwin-joins-delhi-capitals-in-trade
ମୁମ୍ବାଇ, ନଭେମ୍ବର୦୮(ଖବର ଓଡ଼ିଶା):

ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ଆଗାମୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବେ। କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଦିଲ୍ଲୀ ଫ୍ରାଞ୍ଚାଇଜି ମଧ୍ୟରେ ଏକ ମହ୍ଵପୂର୍ଣ୍ଣ ଚୁକ୍ତି ମଧ୍ୟ ହୋଇଛି। ଏହି ଆଧାରରେ ଦିଲ୍ଲୀ ଅଶ୍ଵିନଙ୍କ ପରିବର୍ତ୍ତେ ପଞ୍ଜାବକୁ ଏକ କୋଟି ଟଙ୍କା ଓ ନିଜର ଜଣେ ଅଲରାଉଣ୍ଡର ଜଗଦୀଶ ସୁଚିତଙ୍କୁ ଦେବାକୁ ନିଷ୍ପତ୍ତି ନେଇଛି।

ସୂଚନା ମୁତାବକ ଅଶ୍ଵିନଙ୍କ ବଦଳ ଖେଳାଳି ଭାବେ ଦିଲ୍ଲୀର ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ଦେବାକୁ ପଞ୍ଜାବ ଦାବି କରିଥିଲା। ମାତ୍ର ଦିଲ୍ଲୀ ଏଥିରେ ସହମତ ହୋଇନଥିଲା। ଅଶ୍ଵିନଙ୍କୁ ଦିଲ୍ଲୀ ପକ୍ଷରୁ ତାଙ୍କ ନିଲାମର ୭.୬ କୋଟି ଟଙ୍କା ମିଳିବାର ଆଶା ରହିଛି। 

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶୁକ୍ରବାର ବୟାନ ଜାରି କରି ଏହାର ସୂଚନା ଦେଇଛି। ଅଶ୍ଵିନ ଗତ ଦୁଇଟି ସଂସ୍କରଣରେ ପଞ୍ଜାବ ପକ୍ଷରୁ ଖେଳିଥିଲେ ଓ ଅଧିନାୟକ ବି ଥିଲେ। ମାତ୍ର ଭଲ ଆରମ୍ଭ ସତ୍ଵେ ବି ଦଳକୁ ସେ ପ୍ଲେଅଫ ପର୍ଯ୍ୟନ୍ତ ନେବାରେ ବିଫଳ ହୋଇଥିଲେ। 

ଅଶ୍ଵିନଙ୍କ ଦିଲ୍ଲୀ  ପକ୍ଷରୁ ଖେଳିବା ଖବର ବହୁ ପୂର୍ବରୁ ଆସିଥିଲା, ମାତ୍ର ମଝିରେ ଖବର ଆସିଥିଲା ଯେ ଦଳ ଅଶ୍ଵିନଙ୍କୁ ଦଳରେ ରଖିପାରେ। ବର୍ତ୍ତମାନ ଏହି ସବୁ ଖବର ଉପରେ ବିରାମ ଲାଗିଛି ଏବଂ ବିସିସିଆଇ ଦ୍ଵାରା ଜାରି ବୟାନରେ ଏହା ସ୍ପଷ୍ଟ ହୋଇଛି ଯେ ଅଶ୍ଵିନ ଆଇପିଏଲ-୨୦୨୦ରେ ଦିଲ୍ଲୀ ପକ୍ଷରୁ ପ୍ରତିନିଧିତ୍ଵ କରିବେ।

 ବିସିସିଆଇ କହିଛି ଯେ, ଅଫସ୍ପିନର ଅଶ୍ଵିନ ଆଇପିଏଲ-୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବେ। ସେ ୨୮ଟି ମ୍ୟାଚରେ ପଞ୍ଜାବର ଅଧିନାୟକ ଦାୟିତ୍ଵ ସମ୍ଭାଳିଥିଲେ, ଏଥିରୁ ଦଳ ୧୨ଟିରେ ଜିତିଥିବା ବେଳେ ୧୬ଟିରେ ହାରିଛି।

ଆଇପିଏଲରେ ଅଶ୍ଵିନଙ୍କ ନାମରେ  ୧୨୫ ଓ୍ଵିକେଟ୍ ରହିଛି। ସେ ୧୩୯ଟି ମ୍ୟାଚରୁ ୬.୭୯ ହାରରେ ରନ ବ୍ୟୟ କରିଛନ୍ତି। ସେ ୨୦୦୯ରେ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଆଇପିଏଲରେ ପଦାର୍ପଣ କରିଥିଲେ। ପରେ ରାଇଜିଂ ପୁଣେ ସୁପର ଜାଇଣ୍ଟସ୍ ଏବଂ ପୁଣି କିଙ୍ଗ୍ସ ଇଲେଭେନ  ପଞ୍ଜାବ ପକ୍ଷରୁ ଖେଳିଥିଲେ।

Subscribe

National International State Sports Entertainment