ନୂଆଦିଲ୍ଲୀ: ଦୀର୍ଘ ୪ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଅମିତାଭ କାନ୍ତଙ୍କ ଚାକିରି ଜୀବନରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଜି୨୦ (G20) ଶେରପା ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ଅମିତାଭ କାନ୍ତ । ଏ ନେଇ ସେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀଯୁକ୍ତ କାନ୍ତ ।
୧୯୮୦ ମସିହା ବ୍ୟାଚ୍ କେରଳ କ୍ୟାଡର ଆଇଏଏସ୍ ଅମିତାଭ କାନ୍ତ ଅବସର ନେବା ପରେ ୨୦୨୨ ଜୁଲାଇ ମାସରେ କେନ୍ଦ୍ର ସରକାର ତାଙ୍କୁ ଜି୨୦ ଶେରପା ପଦରେ ନିଯୁକ୍ତ କରିଥିଲେ । ଭାରତ ଜି୨୦ ଅଧ୍ୟକ୍ଷତା ଦାୟିତ୍ୱ ନେବା ପୂର୍ବରୁ ଅମିତାଭଙ୍କୁ ଏହି ନିଯୁକ୍ତି ମିଳିଥିଲା । ଲିଙ୍କଡିନରେ ‘ମେରା ନୟା ସଫର୍’ ବା ‘ମୋର ନୂତନ ଯାତ୍ରା’ ଶୀର୍ଷକରେ ସେ ଲେଖିଛନ୍ତି, “ସରକାରୀ ସେବାରେ ୪୫ ବର୍ଷର ସମର୍ପିତ କରିବା ପରେ, ମୁଁ ନୂତନ ସୁଯୋଗକୁ ଆପଣାଇବାକୁ ଏବଂ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଚି । ମୁଁ ଜି୨୦ ଶେରପା ଭାବରେ ମୋର ଇସ୍ତଫା ସ୍ୱୀକାର ଏବଂ ମୋତେ ଭାରତର ଅନେକ ବିକାଶମୂଳକ କାର୍ଯ୍ୟ, ଭାରତ ବିକାଶ ଏବଂ ପ୍ରଗତିରେ ଯୋଗଦାନ କରିବାକୁ ସୁଯୋଗ ଦେଇଥିବାରୁ ଭାରତର ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞ” । ଏହା ସହିତ ନିଜର ଲମ୍ବା ସମୟରେ କାର୍ୟ୍ୟକାଳ ମଧ୍ୟରେ ବିଭିନ୍ନା କାମ କାର୍ୟ୍ୟ ଏବଂ ଉଲ୍ଲେଖନୀୟ କାର୍ୟ୍ୟ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି ।
ଅମିତାଭ କାନ୍ତ ଉଦ୍ୟୋଗିକ ନୀତି ଏବଂ ସମ୍ବର୍ଦ୍ଧନା ବିଭାଗର ସଚିବ ଭାବରେ ମେକ୍ ଇନ୍ ଇଣ୍ଡିଆ, ସ୍ଟାର୍ଟ ଅପ୍ ଇଣ୍ଡିଆ ଏବଂ ଇଜ୍ ଅଫ୍ ଡୁଇଂ ବିଜନେସ୍ ଭଳି ଅଭିଯାନ ଚଲାଇଛନ୍ତି ।
ନୀତି ଆୟୋଗର ସିଇଓଭାବରେ ସେ ଦେଶର ନୀତିକୁ ସୁଧାରିବା ଦିଗକୁ ଏକ ଗତି ଦେଇଛନ୍ତି ।
ସେ କେରଳର ପର୍ଯ୍ୟଟନ ଅଭିଯାନ ସହିତ ନିଜର କାର୍ୟ୍ୟକାଳ ଆରମ୍ଭ କରିଥିଲେ ।
କୋଝିକୋଡ଼ର ରୂପାନ୍ତରୀକରଣ, ବିମାନବନ୍ଦରର ବିସ୍ତାର ଏବଂ ମତ୍ସ୍ୟଜୀବୀଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିଛନ୍ତି ।
ଜି୨୦ ଶିଖର ସମ୍ମିଳନୀରେ ଅଭିତାଭଙ୍କ ବଡ଼ ଯୋଗଦାନ ରହିଛି ।
ତେବେ ଅମିତାଭ କାନ୍ତ ଇସ୍ତଫା ଦେବା ପରେ ଏବେ କଣ କରିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସେ ଷ୍ଟାର୍ଟଅପ୍, ଥିଙ୍କ୍ ଟ୍ୟାଙ୍କ୍ ଓ ନୀତି ସଂସ୍ଥାଗୁଡ଼ିକ ସହିତ କାମ କରି ପାରନ୍ତି । ସେହିପରି ଭାରତର ପରିବର୍ତ୍ତନ ଯାତ୍ରାରେ ନିଜକୁ ସାମିଲ କରିବାକୁ ସେ ଇଚ୍ଛା ରଖିଛନ୍ତି । ଭାରତୀୟ ଷ୍ଟାର୍ଟଅପ୍ ଏବଂ ନୀତି ନିର୍ମାଣ ଦିଗରେ ନୂତନ ସମ୍ଭାବନା ଆଣିପାରନ୍ତି ।