ନୂଆଦିଲ୍ଲୀ, ଜାନୁଆରୀ 14 (ଖବର ଓଡିଶା) :
ଆଜି ମକର ସଂକ୍ରାନ୍ତି ଓ ପୋଙ୍ଗଲ । ତାମିଲନାଡୁରେ ପୋଙ୍ଗଲ ଅବସରରେ ଆରମ୍ଭ ହୋଇଛି ଜାଲିକାଟୁ ଖେଳ । ମଦୁରାଇର ଅବନିଆପୁରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜାଲିକାଟୁ ଖେଳ ଉପଭୋଗ କରିବା ପାଇଁ ପହଞ୍ଚିଛନ୍ତି । ଦିନେ ଏହାକୁ ପଶୁ ଉପରେ ଅତ୍ୟାଚାର କହି ବିରୋଧ କରୁଥିଲେ , ଏବେ ସେହି ଜାଲିକାଟୁ ଖେଳ ଉପଭୋଗ କରିବା ପାଇଁ ରାହୁଲ ଗାନ୍ଧୀ ତାମିଲନାଡୁ ଗସ୍ତ କରିଛନ୍ତି ।
ଜାଲିକାଟୁ ରକ୍ତ ସଂଘର୍ଷର ଖେଳ । ମୃତାହତ ହେବାର ଆଶଙ୍କା ରହିଛି । କିନ୍ତୁ ଏହାପରେ ବି ପରମ୍ପରାକୁ ବଜାୟ ରଖିବା ପାଇଁ ତାମିଲନାଡୁର ଗାଁଠୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପୋଙ୍ଗଲ ଅବସରରେ ଜାଲିକାଟୁ ଆୟୋଜିତ ହୋଇଥାଏ । ଏହା ଏକ ପ୍ରାଚୀନ ଷଣ୍ଢ ଖେଳ । ଷଣ୍ଢର ଶିଙ୍ଗରେ ପୁରସ୍କାର ରାଶି ଥିବା ଏକ ପୁଡ଼ିଆ ବାନ୍ଧି ଦିଆଯାଇଥାଏ । ଜାଲିକାଟୁ ସମୟରେ ଏକ ଦୌଡୁଥିବା ଉଗ୍ର ଷଣ୍ଢକୁ ପଡିଆରେ ଛାଡ଼ିଦିଆଯାଏ । ଏଥିରେ ଅଂଶଗ୍ରହଣ କରୁଥିବା ଯୁବକମାନେ ଷଣ୍ଢକୁ ଆୟତ୍ତ କରି ତାକୁ ଅଟକାଇଥାଆନ୍ତି । କେତେକ କ୍ଷେତ୍ରରେ ପ୍ରତିଯୋଗୀମାନେ ଷଣ୍ଢର ଶିଙ୍ଘରେ ବନ୍ଧାଯାଇଥିବା ଲାଲ ବାନାକୁ ଖୋଲିବା ପାଇଁ ରହିଥାଏ । ଏହି ଜାଲିକାଟୁ ଖେଳ ନେଇ କଂଗ୍ରେସ ‘ବର୍ବର’ ଓ ରାଜନୀତିକରଣ କରୁଥିବା ବିଜେପି ଉପରେ ଅଭିଯୋଗ ଆଣିଥିଲା ।
ରାହୁଲ ଗାନ୍ଧୀ ହୁଏତ ଭୁଲି ଯାଇଛନ୍ତି ଯେ ତାଙ୍କ ଦଳର ବହୁ ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଧ୍ୟ ଏହି ଜାଲିକାଟୁକୁ ଏକ ପଶୁ ନିର୍ଯାତନା ଖେଳ ବୋଲି ବର୍ଣ୍ଣନା କରିଛନ୍ତି । କେବଳ ଏତିକି ନୁହେଁ, କଂଗ୍ରେସର 2016 ନିର୍ବାଚନୀ ଇସ୍ତାହାରରେ ଜାଲିକାଟୁକୁ ମଧ୍ୟ ନିଷିଦ୍ଧ ବୋଲି କରାଯାଇଥିଲା ।
ଜାନୁୟାରୀ 2016ରେ, ଶଶି ଥରୁର ବିଜେପିକୁ ଟାର୍ଗେଟ କରିଥିଲେ । ଏବଂ ଷଣ୍ଢ ମାନଙ୍କୁ ନିର୍ଯାତନା ଦେବାର' ଏହି ଖେଳ ଉପରେ ପଦକ୍ଷେପ ନେବାକୁ ପଶୁ କଲ୍ୟାଣ ବୋର୍ଡକୁ ଅନୁରୋଧ କରିଥିଲେ । ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଜାଲିକାଟୁରେ ଯୋଗଦେବା ପରେ କହିଛନ୍ତି ଯେ "ମୁଁ ଏଠାକୁ ଆସିଛି କାରଣ ମୁଁ ଅନୁଭବ କରୁଛି ଯେ ଭାରତର ଭବିଷ୍ୟତ ପାଇଁ ତାମିଲ ସଂସ୍କୃତି, ଭାଷା ଏବଂ ଇତିହାସ ଜରୁରୀ ଅଟେ ଏବଂ ଏହାକୁ ସମ୍ମାନ ଦେବା ଆବଶ୍ୟକତା ରହିଛି ।
ତାମିଲ ସଂସ୍କୃତି ଦେଖିବା ଏକ ସୁନ୍ଦର ଅନୁଭୂତି ଏବଂ ଜାଲିକାଟୁ ନିରାପଦ ଢଙ୍ଗରେ ଆୟୋଜିତ ହେଉଛି ବୋଲି କହିଛନ୍ତି ରାହୁଲ । ତାମିଲ ସଂସ୍କୃତିକୁ ଶେଷ କରିବେ ବୋଲି ଭାବୁଥିବା ଲୋକଙ୍କୁ ସେ ଏହି ବାର୍ତ୍ତା ଦେଇଛନ୍ତି ।