ମୟୁରଭଞ୍ଜ: ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟାଳୟ । କେଉଁଠି ଛାତରୁ ପାଣି ଗଳିଳାଣି ତ ଆଉ କେଉଁଠି ପ୍ଲାଷ୍ଟର ଖସିଲାଣି । ଶେଷରେ ବାରଣ୍ଡାରେ ଚାଲିଛି ଶିକ୍ଷାଦାନ । ଆମେ କହୁଛୁ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ "ଆଡ଼ଶିଳ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ" ବିଷୟରେ । ବାରମ୍ବାର ଅଭିଯୋଗ କରିବା ପରେ ସ୍ମାର୍ଟ ସ୍କୁଲର ଡିଣ୍ଡିମ ପିଟୁଥିବା ବିଜେଡ଼ି ସରକାର ଏଥିପ୍ରତି ଦୃଷ୍ଟି ଦେଇ ନ ଥିବା ଅଭିଯୋଗ ହୋଇଛି ।
ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅନ୍ତର୍ଗତ ଆଡ଼ଶିଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଖାପାଖି ୨୧୩ ଜଣ ବିଦ୍ୟାର୍ଥୀ ପାଠ ପଢୁଛନ୍ତି । ସ୍କୁଲରେ ଥିବା ୪ଟି କ୍ଲାସରୁମ ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଯାଇଥିବା ବେଳେ, ସ୍କୁଲ ବାରଣ୍ଡାର ଅବସ୍ଥା ମଧ୍ୟ ନ କହିବା ଭଲ । ବିଦ୍ୟାଳୟ କାନ୍ଥ ଓ ଛାତ ଫାଟି ଆଁ କଲାଣି । ଛାତରୁ ସିମେଣ୍ଟ ପ୍ଲାଷ୍ଟର ଫାଟି ରଡ୍ ଦେଖା ଗଲାଣି ତ’ ଆଉ କେଉଁଠି କାନ୍ଥ ଗଳିବାକୁ ବସିଲାଣି । କିଛି ପିଲାଙ୍କୁ ଶ୍ରେଣୀ ଗୃହରେ ଭଲ ଥିବା ସ୍ଥାନରେ ବସି ପଢାଉଥିବା ବେଳେ କିଛି ପିଲାଙ୍କୁ ବାଧ୍ୟ ହୋଇ ବାରଣ୍ଡାରେ ପଢାଯାଉଛି । ନୂତନ ସ୍କୁଲ ଗୃହ ନିର୍ମାଣ ପାଇଁ ଅଭିଯୋଗ କରାଯାଉଥିଲେ ମଧ୍ୟ ଏଥିପ୍ରତି କାହାର ଯେମିତି ଦୃଷ୍ଟି ପଡ଼ୁ ନାହିଁ । ଏଭଳି ପରିସ୍ଥିତିରେ ପିଲାଙ୍କୁ କିପରି ଶିକ୍ଷାଦାନ କରାଯିବ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଖୋଦ ଭାରପାପ୍ତ ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ ଖିଲାର ।
ଏହି ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟଟି ୧୯୪୯ ମସିହାରେ ପ୍ରତିଷ୍ଠା ହୋଇଥିଲା । ବିଦ୍ୟାଳୟ ଆଉ କିଛିଦିନ ପରେ ପ୍ଲାଟିନମ୍ ଜୁବ୍ଲି ପାଳନ କରିବ । କିନ୍ତୁ ବିଦ୍ୟାଳୟ କାନ୍ଥ ଓ ଛାତ୍ ବହୁ ପୁରାତନ ଓ ଏବେ ବିପଦ ପୂର୍ଣ୍ଣ। ସ୍କୁଲ ରେ ଶୌଚାଳୟ ଏବଂ ପାଚେରୀ ନ ଥିବାରୁ ପିଲାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୁନି କୁନି ପିଲାଙ୍କ ଜୀବନ ଅନ୍ଧକାରକୁ ଠେଲି ଦେଇଛନ୍ତି ୨୫ବର୍ଷର ପୂର୍ବତନ ବିଜେଡି ସରକାର । ସେପଟେ ବ୍ଲକ୍ ପ୍ରଶାସନ କିମ୍ବା ଶିକ୍ଷା ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆଡିଶିଳି ସ୍କୁଲ ର ସମସ୍ୟା ଦୂର କରିବାକୁ ସାଧାରଣରେ ଦାବୀ ହୋଇଛି ।