କରୋନା ଯୁଦ୍ଧରେ ଜିତିବ ଭାରତ: ରାତି ୯ଟାରେ କେବଳ ଘରର ସବୁ ଲାଇଟ ବନ୍ଦ କରନ୍ତୁ, ଅନ ରହିବ ଇଲେଟ୍ରୋନିକ୍ସ ଉପକରଣ
Khabar Odisha:only-switch-off-your-lights-says-energy-ministry
ଭୁବନେଶ୍ୱର, ଏପ୍ରିଲ ୦୫ (ଖବର ଓଡ଼ିଶା):

କରୋନା ଯୁଦ୍ଧରେ ଜିତିବ ଭାରତ । ଭାରତ କରୁଛି ମୁକାବିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଆଜି ରାତି ୯ଟାରୁ ୯ ମିନଟ୍ ପର୍ଯ୍ୟନ୍ତ ସାରା ଦେଶରେ ଲୋକେ ସ୍ୱତଃସ୍ଫୂର୍ତ୍ତ ଭାବେ ଘରେ ବିଜୁଳି ବତୀ ବନ୍ଦ କରିବେ।  ୯ମିନିଟ ଯାଏଁ ଘର ବାଲକୋନୀରେ ଛିଡ଼ା ହୋଇ ଲୋକେ ଦୀପ, ମହମବତୀ, ଫ୍ଲାସ ଲାଇଟ ଜାଳିବେ ।
ରାତି ୯ଟାରୁ ୯ ମିନଟ୍ ପର୍ଯ୍ୟନ୍ତ ସାରା ଦେଶରେ  ଲୋକେ ଘରେ ବିଜୁଳି ଅର୍ଥାତ ଲାଇଟ ବନ୍ଦ ରଖିବେ । ତେବେ ଏହି ସମୟରେ ପାଓ୍ୱାର ଗ୍ରୀଡ୍ ଗୁଡ଼ିକ ଚାଲୁ ରହିବ ଓ ସମସ୍ତ ଷ୍ଟ୍ରୀଟ୍ ଲାଇଟ୍ ଜଳିବ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସେହିଭଳି ବିଜୁଳି ବତୀକୁ ବାଦ୍ ଦେଇ ଘରେ ଥିବା ଟିଭି, ଫ୍ରିଜ୍, ଏସି ଓ କମ୍ପ୍ୟୁଟର ଭଳି ଅନ୍ୟ ସମସ୍ତ ଇଲେଟ୍ରୋନିକ୍ସ ଉପକରଣ ଚଳାଇବାରେ କୌଣସି ସମସ୍ୟା ନାହିଁ ବୋଲି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏନେଇ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଶକ୍ତି ସଚିବଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି।
ସେହିପରି ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ବି ଏନେଇ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଏକାସଙ୍ଗେ ଲାଇଟ୍ ବନ୍ଦ ଓ ଅନ୍ କରିବା ଯୋଗୁଁ ସମସ୍ୟା ସୃଷ୍ଟି ହେବା ଆଶଙ୍କା ରହିଛି । ଏହି ସମୟରେ ହଠାତ୍ ଲୋଡ୍ କମିବା ବା ବଢ଼ିବାର ସମ୍ଭାବନା ଥିବାରୁ ଲୋକେ ଏନେଇ ସର୍ତକ ରହିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ତେଣୁ ଏକାବେଳେ ସମସ୍ତ ଲାଇଟ୍ ସୁଇଚ୍ ବନ୍ଦ ନକରି କିଛି ସମୟ ପୂର୍ବରୁ ଓ ପରେ ବନ୍ଦ କରିବାକୁ ନିବେଦନ କରିଛି ବିଭାଗ। ଏହାସହ ଲୋକେ କେବଳ ଲାଇଟ୍ ସୁଇଚ୍ ବନ୍ଦ କରନ୍ତୁ, ମେନ୍ ସୁଇଚ୍ ଆଦୌ ବନ୍ଦ କରନ୍ତୁ ନାହିଁ ବୋଲି ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତା ଜାରି କରି ସମସ୍ତ ଦେଶବାସୀଙ୍କୁ କରୋନା ମୁକାବିଲା ଲାଗି ୯ମିନିଟ ସମୟ ମାଗିଛନ୍ତି । ରବିବାର ରାତି ୯ଟାରୁ ୯ ମିନିଟ୍ ପାଇଁ ଘରର ସମସ୍ତ ବିଜୁଳି ବତୀ ବନ୍ଦ କରି ଦୀପ, ମହମବତୀ ତଥା ମୋବାଇଲ୍ ଫ୍ଲାସ୍ ଲାଇଟ୍ ଜାଳିବାକୁ ଅନୁରୋଧ କରିଛନ୍ତି ।

  • Tags:

Subscribe

National International State Sports Entertainment