ଖବର ଓଡ଼ିଶା: କେରଳ ୱାୟନାଡ଼ ଭୂସ୍ଖଳନରେ ଫସିଥିବା ଓଡ଼ିଆ ଝିଅ ଡାକ୍ତର ସ୍ୱୀକୃତି ମହାପାତ୍ରଙ୍କ ପରିବାରକୁ ଭେଟିଛନ୍ତି ରାଜ୍ୟ ରାଜସ୍ୱ ମନ୍ତ୍ରୀ ଓ ବିଧାୟକ । ଝାରସୁଗୁଡ଼ାସ୍ଥିତ ତାଙ୍କ ବାସଭବନରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଟଂକଧର ତ୍ରିପାଠୀ ସ୍ୱୀକୃତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ସ୍ୱୀକୃତିଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଓ ବିଧାୟକ ।
ୱାୟନାଡ଼ ଭୂସ୍ଖଳନରେ ଗୁରୁତର ଆହତ ହୋଇଥିବା ଡାକ୍ତର ସ୍ୱୀକୃତି ମହାପାତ୍ରଙ୍କର ସେଠାରେ ଚିକିତ୍ସାଧୀନ ଅଛନ୍ତି । ଏପଟେ ସ୍ୱୀକୃତିଙ୍କ ପରିବାରକୁ ସାନ୍ତ୍ୱନା ଦେବାକୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଟଂକଧର ତ୍ରିପାଠୀ, ଜିଲ୍ଲାପାଳ ଓ ଏସପି ତାଙ୍କ ଘରେ ପହଁଚିଛନ୍ତି । ସେମାନେ ତାଙ୍କ ପରିବାର ସହିତ ଆଲୋଚନା କରିଛନ୍ତି । ସ୍ୱୀକୃତିଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଛି ଏବଂ ସେ ଖୁବ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ୱାୟନାଡ଼ରେ ଫସିଥିବା ଓଡ଼ିଶାର ୪ ଜଣ ବ୍ୟକ୍ତିଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ସମସ୍ତ ପ୍ରକାର ଚେଷ୍ଟା ଚଳାଇଛନ୍ତି । ଓଡ଼ିଶାର ଉଚ୍ଚ ପଦସ୍ଥ ଅଧିକାରୀମାନେ କେରଳରେ ରହି ସ୍ଥିତି ଉପରେ ନଜର ରଖିଛନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ଦିଲ୍ଲୀପ ରାଉତରାୟ ମଧ୍ୟ କେରଳ ଯାଇଛନ୍ତି । ତେଣୁ ମାଆ ସମଲେଶ୍ୱରୀଙ୍କ କୃପା ଓ ଜଗନ୍ନାଥଙ୍କ ଆର୍ଶିବାଦରୁ ସ୍ୱୀକୃତି ମହାପାତ୍ର ଘରକୁ ଫେରିବେ ବୋଲି ମନ୍ତ୍ରୀ କହିଛନ୍ତି ।
ଗତ ୨୬ ତାରିଖରେ ଡାକ୍ତର ବିଷ୍ଣୁ ପ୍ରସାଦ ଓ ତାଙ୍କ ଅଧ୍ୟାପିକା ପତ୍ନୀ ପ୍ରିୟଦର୍ଶିନୀ ପାଲ, ଡାକ୍ତର ସ୍ଵାଧୀନ ପଣ୍ଡା ଏବଂ ସ୍ୱୀକୃତି ମହାପାତ୍ର ବାଙ୍ଗାଲୋର ବୁଲିବା ପାଇଁ ଯାଇଥିଲେ । ସେମାନେ ସେଠାରୁ କେରଳ ୱାୟନାଡ ବୁଲିବାକୁ ଯାଇଥିଲେ । ଭୂସ୍ଖଳନରେ ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ଦେହାନ୍ତ ହୋଇଯାଇଥିବା ବେଳେ ପତ୍ନୀ ପ୍ରିୟଦର୍ଶିନୀ ପାଲ ଗୁରୁତର ଆହତ ହେବା ପରେ ସୁସ୍ଥ ହୋଇଛନ୍ତି । କିନ୍ତୁ ଡାକ୍ତର ସ୍ୱାଧୀନ ପଣ୍ଡା ଏବେବି ନିଖୋଜ ଅଛନ୍ତି ।