କ୍ରାଇଷ୍ଟଚର୍ଚ୍ଚ: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ନାମରେ ଅନେକ ରେକର୍ଡ ରହିଛି। ତାଙ୍କର କିଛି ରେକର୍ଡକୁ ବିରାଟ କୋହଲି ଭାଙ୍ଗିଛନ୍ତି। କିନ୍ତୁ ଇଂଲଣ୍ଡର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ କିଛି ରେକର୍ଡ ଉପରେ ନଜର ରଖିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ରେ ରୁଟ୍ ସେହି ବଡ଼ ରେକର୍ଡ ଗୁଡ଼ିକ ମଧ୍ୟରୁ ଗୋଟିଏ ଭାଙ୍ଗିଛନ୍ତି। ଇଂଲଣ୍ଡ ଏହି ମ୍ୟାଚ୍କୁ ୮ ୱିକେଟରେ ଜିତି ନେଇଛି।
କ୍ରାଇଷ୍ଟଚର୍ଚ୍ଚରେ ଖେଳାଯାଇଥିବା ଏହି ମ୍ୟାଚ୍ର ଚତୁର୍ଥ ଇନିଂସରେ ରୁଟ୍ ସଚିନ ତେନ୍ଦୁଲକରଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଇଂଲଣ୍ଡକୁ ବିଜୟ ପାଇଁ ମାତ୍ର ୧୦୪ ରନ୍ ଦରକାର ଥିଲା। ନିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ଜାକବ ବେଥାଲ ଅପରାଜିତ ୫୦ ଓ ରୁଟ୍ ଅପରାଜିତ ୨୩ ରନ୍ କରି ଇଂଲଣ୍ଡକୁ ବିଜୟୀ କରାଇଥିଲେ। ଏହି ବିଜୟ ସହ ଇଂଲଣ୍ଡ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ରେ ୧-୦ରେ ଆଗୁଆ ରହିଛି।
୨୩ ରନ୍ର ଇନିଂସ ସହ ରୁଟ୍ ସଚିନ ତେନ୍ଦୁଲକରଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଟେଷ୍ଟ ମ୍ୟାଚରେ ଚତୁର୍ଥ ଇନିଂସରେ ସେ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି। ରୁଟ୍ ନିଜର ୧୫୦ତମ ଟେଷ୍ଟ୍ ଖେଳୁଥିଲେ। ଏବେ ଚତୁର୍ଥ ଇନିଂସରେ ସର୍ବାଧିକ ରନ୍ କରିବା କ୍ଷେତ୍ରରେ ସେ ନମ୍ବର-୧ ହୋଇଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ ସଚିନଙ୍କ ନାମରେ ଥିଲା। ସଚିନ ଟେଷ୍ଟ ମ୍ୟାଚର ଚତୁର୍ଥ ଇନିଂସରେ ୧୬୨୫ ରନ୍ କରିଛନ୍ତି। ରୁଟ୍ଙ୍କ ନାଁରେ ଏବେ ୧୬୩୦ ରନ୍ ରହିଛି। ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲିଷ୍ଟର କୁକ୍ ଏବଂ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରେମ୍ ସ୍ମିଥ୍ ମିଳିତ ଭାବେ ୧୬୧୧ ରନ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି।
ପ୍ରଥମ ଇନିଂସରେ ରୁଟ୍ ଖାତା ମଧ୍ୟ ଖୋଲି ପାରିନଥିଲେ। କିନ୍ତୁ ଦ୍ୱିତୀୟ ଇନିଂସରେ ସେ କମ୍ ସ୍କୋର କରିବା ପରେ ମଧ୍ୟ ବଡ଼ ରେକର୍ଡ କରିଥିଲେ। ଏହି ମ୍ୟାଚ୍ରେ ଇଂଲଣ୍ଡ ଦଳ ଆୟୋଜକ ଦଳ ସମ୍ପୂର୍ଣ୍ଣ ଆଧିପତ୍ୟ ବଜାୟ ରଖିଥିଲା। ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଇନିଂସରେ ୩୪୮ ରନ୍ କରିବାରେ ସଫଳ ହୋଇଥିଲା। ଇଂଲଣ୍ଡ ପ୍ରଥମ ଇନିଂସରେ ୧୫୧ ରନର ଅଗ୍ରଣୀ ନେଇ ୪୯୯ ରନ୍ କରିଥିଲା। ଏହାପରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ୨୫୪ ରନ୍ କରି ଇଂଲଣ୍ଡକୁ ୧୦୪ ରନର ଟାର୍ଗେଟ ଦେଇଥିଲା, ଯାହାକୁ ସେମାନେ ସହଜରେ ହାସଲ କରିନେଇଥିଲେ।
ଅଧିକ ପଢ଼ନ୍ତୁ: ମହଙ୍ଗା ହେଲା ଏଲପିଜି ସିଲିଣ୍ଡର