ଜଗଦଲପୁର/ହାଇଦ୍ରାବାଦ: ତେଲେଙ୍ଗାନାର ମହବୁବନଗରରୁ ପୁଲିସ ଜଣେ କୁଖ୍ୟାତ ମହିଳା ନକ୍ସଲ କଳ୍ପନା ଓରଫ ସୁଜାତାଙ୍କୁ ଗିରଫ କରିଛି। ୬୦ ବର୍ଷୀୟ ସେ ଦକ୍ଷିଣ ବସ୍ତର ଡିଭିଜନାଲ କମିଟିର ପ୍ରଭାରୀଙ୍କ ସମେତ ଅନେକ ପଦବିରେ କାର୍ଯ୍ୟ କରିଛନ୍ତି। ଦକ୍ଷିଣ ବସ୍ତର ଡିଭିଜନ କମିଟିର ପ୍ରଭାରୀ ଭାବେ ସେ ବିଜାପୁର, ସୁକମା, ଦାନ୍ତେଓ୍ଵାଡା ଜିଲ୍ଲାର ୧୦୦ରୁ ଅଧିକ ଘଟଣାରେ ସମ୍ପୃକ୍ତ ଅଛନ୍ତି।
ଚିକିତ୍ସା ପାଇଁ ତେଲେଙ୍ଗାନା ଯାଇଥିବା ବେଳେ ଧରାପଡ଼ିଥିଲେ। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଓ ଛତିଶଗଡ଼ରେ ମୋଟ ୧ କୋଟି ଟଙ୍କାର ପୁରସ୍କାର ରାଶି ରହିଛି। ତାଙ୍କୁ ପଚରାଉଚରାରେ ନକ୍ସଲଙ୍କ ସମ୍ପର୍କରେ ବଡ ତଥ୍ୟ ମିଳିବ ବୋଲି ପୋଲିସ ଆଶା ରଖିଛି।
ସୁଜାତା ହେଉଛନ୍ତି ମାଓନେତା କୋଟେଶ୍ୱର ରାଓ ଓରଫ କିଶନଜୀଙ୍କ ପତ୍ନୀ। କିଶନଜୀଙ୍କ ସହ ସେ ପଶ୍ଚିମବଙ୍ଗରୁ ବସ୍ତର ଆସିଥିଲେ। କିଶନଜୀଙ୍କୁ ବଙ୍ଗଳାର ଦାୟିତ୍ୱ ମିଳିବା ପରେ ସେ ମଧ୍ୟ କିଛି ସମୟ ବଙ୍ଗଳାରେ ରହିଥିଲେ। ୨୦୧୧ରେ କିଶନଜୀଙ୍କୁ ହତ୍ୟା କରାଯିବା ପରେ ସେ ବସ୍ତର ଚାଲିଯାଇଥିଲେ।
ସୁଜାତାଙ୍କୁ ହାର୍ଡକୋର ନକ୍ସଲ ବୋଲି ବିବେଚନା କରାଯାଏ । ସାଧାରଣତଃ ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳାମାନେ ମାଓବାଦୀ ସଂଗଠନ ଛାଡିଥାନ୍ତି, କିନ୍ତୁ ସୁଜାତା ଆତ୍ମସମର୍ପଣ କରିନଥିଲେ। ତାଙ୍କ ଭିଣୋଇ ସୋନୁ କେନ୍ଦ୍ରୀୟ କମିଟି ସଦସ୍ୟ ଅଛନ୍ତି। ସୋନୁଙ୍କ ପତ୍ନୀ ମଧ୍ୟ ଜଣେ ମାଓବାଦୀ ନେତା। ସୁଜାତା ହିଁ ନକ୍ସଲ କମାଣ୍ଡର ମାଡଭି ହିଡମାଙ୍କୁ ପ୍ରସ୍ତୁତ କରିଥିଲେ । ସଂଗଠନରେ ମହିଳାମାନଙ୍କୁ ନିଯୁକ୍ତି ଦେବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି।
ନକ୍ସଲ ସଂଗଠନରେ ସୁଜାତାଙ୍କ ଅନେକ ନାମ ରହିଛି। ତାଙ୍କୁ ପଦ୍ମା, କଳ୍ପନା, ସୁଜାତା, ସୁଜାତକା, ଝାନ୍ସୀବାଇ କୁହାଯାଏ। ପଶ୍ଚିମବଙ୍ଗରେ ସେ ମଣିବାଇ ନାମରେ ମଧ୍ୟ ପରିଚିତ। ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ସୁଜାତା ଗୋଣ୍ଡି, ହଲବି ଭାଷା ସହିତ ଇଂରାଜୀ, ହିନ୍ଦୀ, ବଙ୍ଗଳା, ଓଡ଼ିଆ, ତେଲୁଗୁ ଭାଷା କହିପାରନ୍ତି।
ବଡ଼ ଧରଣର ଆକ୍ରମଣ ପଛରେ ସୁଜାତାଙ୍କ ମସ୍ତିଷ୍କ ରହିଛି। ୨୦୦୭ ମସିହା ଏପ୍ରିଲ ମାସରେ ଏରାବୋରରେ ୨୩ ଜଣ ଯବାନ, ଏପ୍ରିଲ ୨୦୧୦ରେ ତାଡ଼ମେଟ୍ଲାରେ ୭୬ ଜଣ ଯବାନ, ୨୦୧୦ରେ ଗାଦିରାସରେ ୩୬ ଜଣ, ୨୦୧୩ରେ ଝିରମରେ କଂଗ୍ରେସର ପରିବର୍ତନ ଯାତ୍ରା ଉପରେ ଆକ୍ରମଣରେ ୩୧ ଜଣ, ୨୦୧୭ରେ ଚଟାଗୁଫାରେ ୨୫ ଜଣ ଯବାନ, ମିନପାରେ ୧୭ ଜଣ ଯବାନ, ତେକୁଲଗୁଡେମରେ ୨୧ ଜଣ ଯବାନ ସହିଦ ହେବା ଘଟଣା ପଛରେ ସୁଜାତାଙ୍କ ହାତ ରହିଛି।
ଅଧିକ ପଢ଼ନ୍ତୁ: ବିମାନ, ଯାତ୍ରୀ ସୁରକ୍ଷା ପାଇଁ ମୁତୟନ ହେବେ ଅଧିକ ଏୟାର ମାର୍ଶଲ