ଥିରୁଅନନ୍ତପୁରମ: କେରଳ ସରକାର ମଙ୍ଗଳବାର କହିଛନ୍ତି ଯେ ବିନା ଭର୍ଚୁଆଲ ଧାଡ଼ି ବୁକିଂରେ ସାବରିମାଲା ଆସୁଥିବା ତୀର୍ଥଯାତ୍ରୀମାନେ ଭଗବାନ ଆୟାପ୍ପା ମନ୍ଦିରରେ ନିରବଚ୍ଛିନ୍ନ ଦର୍ଶନ କରିପାରିବେ। ପ୍ରବଳ ବିରୋଧର ସମ୍ମୁଖୀନ ହୋଇ ପିନାରାୟୀ ବିଜୟନ ସରକାର ଆଗାମୀ ତୀର୍ଥଯାତ୍ରା ଋତୁ ପାଇଁ କେବଳ ଅନଲାଇନ୍ ରେଜିଷ୍ଟ୍ରେସନ ମାଧ୍ୟମରେ ଦର୍ଶନ ପ୍ରଦାନ କରିବାକୁ ପୂର୍ବ ନିଷ୍ପତ୍ତିକୁ ପ୍ରତ୍ୟାହାର କରିଥିଲେ।
ମୁଖ୍ୟମନ୍ତ୍ରୀ ବିଜୟନ ବିଧାନସଭାରେ ଭି ଜୟ (ସିପିଆଇ-ଏମ୍)ଙ୍କ ଉପସ୍ଥାପନାର ଉତ୍ତରରେ ଏହି ଘୋଷଣା କରିଛନ୍ତି। ଏପରିକି ବିନା ପଞ୍ଜୀକରଣରେ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ମଧ୍ୟ ସୁରୁଖୁରୁରେ ଦର୍ଶନର ସୁବିଧା ସୁନିଶ୍ଚିତ କରାଯିବ। ଯେଉଁମାନେ ଅନଲାଇନରେ ପଞ୍ଜୀକରଣ କରିନାହାଁନ୍ତି ଏବଂ ଯେଉଁମାନେ ବ୍ୟବସ୍ଥା ବିଷୟରେ ନ ଜାଣି ଆସିଛନ୍ତି ସେମାନଙ୍କ ପାଇଁ ମଧ୍ୟ ଦର୍ଶନ ସୁନିଶ୍ଚିତ କରାଯିବ।
ସେ କହିଛନ୍ତି ଯେ ଗତ ତୀର୍ଥଯାତ୍ରା ଋତୁରେ ଏହି ପର୍ବତ ମନ୍ଦିର ରେ ସମାନ ସୁବିଧା ଯୋଗାଇ ଦିଆଯାଇଥିଲା। ତେବେ ଗତବର୍ଷ ଭଳି ସ୍ପଟ୍ ବୁକିଂ ବ୍ୟବସ୍ଥା ରହିବ କି ନାହିଁ, ଭର୍ଚୁଆଲ୍ କ୍ୟୁ ବୁକିଂ ବ୍ୟବସ୍ଥା ରହିବ କି ନାହିଁ ସେ ନେଇ ମୁଖ୍ୟମନ୍ତ୍ରୀ ତାଙ୍କ ସଂକ୍ଷିପ୍ତ ବିବୃତିରେ ସ୍ପଷ୍ଟ କରିନାହାନ୍ତି।
ସେପଟେ ମକରଭିଲକ୍କୁ ଋତୁରେ ସାବରିମାଲା ଆୟାପ୍ପା ଦର୍ଶନ ପାଇଁ ଭର୍ଚୁଆଲ କ୍ୟୁ ଟିକେଟ୍ ପ୍ରଚଳନ କରିବାକୁ କେରଳ ସରକାରଙ୍କ ପୂର୍ବ ନିଷ୍ପତ୍ତିକୁ ଟ୍ରାଭାଙ୍କୋର ଦେବସ୍ୱାମ ବୋର୍ଡ (ଟିଡିବି) ସମର୍ଥନ କରିଛି। ଉଭୟ ତୀର୍ଥଯାତ୍ରୀ ଏବଂ ମନ୍ଦିରର ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଜରୁରୀ ବୋଲି ବିବେଚନା କରାଯାଉଥିବା ଏହି ଆଭିମୁଖ୍ୟକୁ ଟିଡିବି ଶୁକ୍ରବାର ଅନୁମୋଦନ କରିଛି। ଟିଡିବି ସଭାପତି ପିଏସ୍ ପ୍ରଶାନ୍ତ କହିଛନ୍ତି ଯେ ଭଲ ଉଦ୍ଦେଶ୍ୟ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ମକରବିଲାକ୍କୁ ଋତୁରେ ଆସୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ଭଲ ଭାବରେ ପରିଚାଳନା କରିବା ପାଇଁ ମନ୍ଦିରରେ ଦର୍ଶନ ସମୟ ବୃଦ୍ଧି କରାଯାଇଛି। ଭକ୍ତମାନେ ଏଣିକି ଭୋର ୩ଟାରୁ ଅପରାହ୍ନ ୧ଟା, ପରେ ଅପରାହ୍ନ ୩ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଅର୍ଥାତ୍ ଦୈନିକ ମୋଟ ୧୭ ଘଣ୍ଟା ଦର୍ଶନ କରିପାରିବେ। sabarimalaonline.org ଅଫିସିଆଲ ୱେବସାଇଟରୁ ଅନଲାଇନ ଟିକେଟ ବୁକିଂ କରାଯାଇପାରିବ।
ଅଧିକ ପଢ଼ନ୍ତୁ: ସଞ୍ଜୀବ ଖନ୍ନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନବିଚାରପତି!