ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଐତିହାସିକ କଟକରେ ସେ ମେଗା ରୋଡ ଶୋ’ କରି ଦଳୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ସମର୍ଥନ ମାଗିବେ । କଟକବାସୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଶାହଙ୍କ ମେଗା ରୋଡ ଶୋ’ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟୟରେ ପହଞ୍ଚିଛି । ଶାହଙ୍କ ରାଲି ରାସ୍ତା ଗେରୁଆମୟ ଦେଖାଯାଉଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼କଡ଼ି କରଯାଇଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହଙ୍କ କଟକରେ ରୋଡ୍ ଶୋ’ କାର୍ଯ୍ୟକ୍ରମ ସନ୍ଧ୍ୟା ୫ଟା ୩୦ରେ ହେବ । ଏହି ରୋଡ ଶୋ’ ଗୋପବନ୍ଧୁ ବାଗ୍ରୁ ଆରମ୍ଭ ହେବ । ବକ୍ସବଜାର ଦେଇ ଆଗକୁ ବଢ଼ିବ । ଏହି ଶୋ’ ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବକ୍ସିବଜାର, ଚାନ୍ଦିନୀ ଚୌକ, ମହମ୍ମଦିଆ ବଜାର ଓ ଶେଖ୍ ବଜାର ଦେଇ ଚଣ୍ଡୀମନ୍ଦିରରେ ପହଞ୍ଚିବ ।
କେନ୍ଦ୍ରମନ୍ତ୍ରୀ ଶାହ ଆଜି ଅପରାହ୍ଣ ୧୨ଟା ୩୦ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ । ଏଠାରେ ପହଞ୍ଚିଲା ପରେ ସେ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଗଂଜାମର ସୋରଡା ଅଭିମୁଖେ ଯିବେ । ଦିନ ୧ଟା ୩୦ରେ ସୋରଡ଼ାରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବେ । ସେହିପରି ଅପରାହ୍ଣ ୩ଟା ୩୦ରେ ବୌଦ୍ଧରେ ପହଞ୍ଚି ବିଜୟ ସଂକଳ୍ପକୁ ସମ୍ବୋଧିତ କରିବେ । ଏହା ପରେ ଶ୍ରୀ ଶାହ କଟକ ଅଭିମୁଖେ ଯିବେ ।