କଟିହାର: ବିହାରର କଟିହାରରେ ଜଣେ ମହିଳାଙ୍କୁ ଗୁଳି କରି ଆହତ କରିବାର ଏକ ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ବିଳମ୍ବିତ ରାତିରେ ପୋଥିଆ ଥାନା ଅନ୍ତର୍ଗତ ଚୋର ପଞ୍ଚାୟତର ରୋଶନୀ କୁମାରୀ(୨୩)ଙ୍କ ଉପରକୁ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏକ ବାଇକ୍ରେ ଆସି ଗୁଳି ଚଳାଇଥିଲେ। ରୋଶନୀ ଘର ବାହାରେ ବସିଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ବେକରେ ଗୁଳି କରି ଫେରାର ହୋଇଯାଇଥିଲେ।
ଏହି ଘଟଣା ଜଣାପଡ଼ିବା ପରେ ଚାରିଆଡ଼େ ଲୋକଙ୍କ ଭିଡ଼ ଜମିଥିଲା ଏବଂ ପୀଡ଼ିତାଙ୍କୁ ତରବରିଆ ଭାବେ କଟିହାର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ରୋଶନୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି। ପୁଲିସ ସୂଚନା ଅନୁଯାୟୀ, ରୋଶନୀ ୧୦ ଦିନ ତଳେ ପୂର୍ଣ୍ଣିଆ ଜିଲ୍ଲାର କାର୍ତ୍ତିକ ମଣ୍ଡଳଙ୍କ ସହ ପ୍ରେମ ବିବାହ କରିଥିଲେ। କାର୍ତ୍ତିକ ବିହାର ପୁଲିସରେ କାର୍ଯ୍ୟରତ ଏବଂ ମୁଜାଫରପୁରରେ ଅବସ୍ଥାପିତ ଅଛନ୍ତି।
ପୁଲିସକୁ ଦେଇଥିବା ବୟାନରେ ରୋଶନୀ କହିଛନ୍ତି ଯେ ୧୦ ଦିନ ତଳେ ପୂର୍ଣ୍ଣିଆ ଜିଲ୍ଲା ଟିକା ପଟ୍ଟି ଥାନା ଅନ୍ତର୍ଗତ ନାଗରୀ ଗ୍ରାମର ଲେହରା ମଣ୍ଡଳଙ୍କ ପୁଅ କାର୍ତ୍ତିକ ମଣ୍ଡଳଙ୍କ ସହ ତାଙ୍କର ପ୍ରେମ ବିବାହ ହୋଇଥିଲା, ଯାହାକୁ ନେଇ ମୋ ଶାଶୂ ରାଗି ଯାଇଥିଲେ। ଶାଶୂ କିରଣ ଦେବୀ ୫ ଲକ୍ଷ ଟଙ୍କା ମାଗୁଥିଲେ, ଯେଉଁଥିପାଇଁ ସେ ତାଙ୍କୁ ଗୁଳି ମାରିଦେବାକୁ ଧମକ ଦେଇଥିଲେ।
ପୀଡ଼ିତାଙ୍କ ବୟାନ କୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଥିଆ ଥାନା ଅଧିକାରୀ ବିବେକ କୁମାରଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଉଛି। ଏହି ଟିମରେ ପିଏସଆଇ ରାମଶଙ୍କର କୁମାର, ଅରବିନ୍ଦ କୁମାର ଶର୍ମା ଏବଂ ପିଏସଆଇ ଡୋଲି କୁମାରୀ ରହିଛନ୍ତି । ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ କହିଛି।
ଅଧିକ ପଢ଼ନ୍ତୁ: ୨୪ ଘଣ୍ଟା ନ ପୁରୁଣୁ ପୁଣି ଜଣେ କନଷ୍ଟେବଳଙ୍କ ଉପରେ ଆକ୍ରମଣ