ଖବର ଓଡିଶା : 25/03/2023
ଆଜି ୱାର୍ଲ୍ଡ ଆର୍ଥ ଆୱାର । ପୃଥିବୀ ପାଇଁ ଘଣ୍ଟାଟିଏ । ୧ ଘଣ୍ଟା ପାଇଁ ବନ୍ଦ ରହିବ ବିଶ୍ୱର ସମସ୍ତ ଲାଇଟ୍ । World Wide Fond For Nature(WWF)ଦ୍ୱାରା ସୃଷ୍ଟି ହେଇଥିବା ଏହି ଦିବସଟି ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ପାଳିତ ହୋଇଥାଏ। ଏହି ଦିନ ପୃଥିବୀବାସୀ ୧ ଘଣ୍ଟା ପର୍ଯ୍ୟନ୍ତ ନିଜର ଅନାବଶ୍ୟକ ଲାଇଟ୍ ର ସୁଇଚ୍ ଅଫ୍ କରିଥାନ୍ତି । ଏକ ସୁନ୍ଦର ଭବିଷ୍ୟତ ଗଢିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏଁ ସମସ୍ତ ଲାଇଟ୍ ବନ୍ଦ ରଖିବା ଲାଗି ଆହ୍ୱାନ ଦିଆଯାଇଛି । ପୃଥିବୀର ସୁରକ୍ଷା ଲାଗି ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ବାଣ୍ଟିବା ଏବଂ ପାଣିପାଗ ପରିବର୍ତ୍ତନର ସମାଧାନ ଲକ୍ଷ୍ୟରେ ଆର୍ଥ ଆୱାର ପାଳନ କରାଯାଇଥାଏ । ଆର୍ଥ ଆୱାର ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳା ଜରିଆରେ ପୃଥିବୀର ସୁରକ୍ଷା ଲାଗି ଘଣ୍ଟାଟିଏ ଲାଇଟ୍ ବନ୍ଦ କରିବା ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି ସୁଦର୍ଶନ। ବାଲୁକାକଳା ଟିରେ ସୁନ୍ଦର ଭାବରେ ଲାଇଟ ବଲବ ଗୁଡିକୁ ସଜେଇଛନ୍ତି ସୁଦର୍ଶନ। ଏହି ଦିବସକୁ ପାଳନ କରିବା ପାଇଁ ଘଣ୍ଟାଏ ଅନ୍ଧାରରେ ରହିବାକୁ ପଡେ ସତ ହେଲେ ଯେତିକି ପରିମାଣର ବିଦ୍ୟୁତ ଏହି ଦିନରେ ସଞ୍ଚୟ ହୋଇଥାଏ ତାହା ସମଗ୍ର ବିଶ୍ୱର ଭବିଷ୍ୟତ ଆଲୋକିତ କରିବା ଦିଗରେ ସହାୟକ ହେବ । ତେବେ ଗତବର୍ଷ ଆର୍ଥ ଆୱାର ସମୟରେ ଦିଲ୍ଲୀରେ ୧୭୧ ମେଗାୱାଟ୍ ବିଜୁଳି ସଂରକ୍ଷଣ କରାଯାଇଥିଲା । ୨୦୦୭ ମସିହାରେ ଏହି ଆର୍ଥ ଆୱାର କାର୍ଯ୍ୟକ୍ରମ କରାଯାଇଥିଲା । ୨୦୦୮ରେ ୩୫ ଦେଶ ଆର୍ଥ ଆୱାରରେ ସାମିଲ ହୋଇଥିଲେ । ଏବେ ଏହି କାର୍ଯ୍ୟକ୍ରମରେ ୧୭୮ ଦେଶ ସାମିଲ ହୋଇସାରିଲେଣି । ଅନେକ ଲୋକ ଘରର ସମ୍ପୂର୍ଣ୍ଣର୍ ଲାଇଟ୍ ବନ୍ଦ କରି କ୍ୟାଣ୍ଡେଲ ଜାଳି ଏହି ଦିବସକୁ ସେଲିବ୍ରେଟ୍ କରିଥାନ୍ତି ।