ରାଞ୍ଚି: ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାରେ ଅବକାରୀ ବିଭାଗର କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ପାଇଁ ଶାରୀରିକ ପରୀକ୍ଷା ବେଳେ ଅଚେତ ହୋଇପଡ଼ିଥିବା ୨୫ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଅମରେଶ କୁମାର (୨୦), ଅରୁଣ କୁମାର (୨୫) ଓ ପ୍ରଦୀପ କୁମାର (୨୫)। ସେମାନଙ୍କୁ ମେଦିନିରାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ପୁଲିସ ଏହି ସୂଚନା ଦେଇଛି।
ଉପଖଣ୍ଡ ପୁଲିସ ଅଧିକାରୀ ମଣିଭୂଷଣ ପ୍ରସାଦ କହିଛନ୍ତି ଯେ ଗୁରୁବାର ରାତିରୁ ପାଲାମୁ ଜିଲ୍ଲାର ମେଦିନୀନଗରର ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଥିବା ବେଳେ ରାଞ୍ଚିର ରିମ୍ସରେ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତରୁ ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ଅଧୀକ୍ଷକ ଡାକ୍ତର ଆରକେ ରଞ୍ଜନ କହିଛନ୍ତି। ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।
ପାଲାମୁ ଜିଲ୍ଲାରେ ଅବକାରୀ ବିଭାଗର କନଷ୍ଟେବଳ ନିଯୁକ୍ତି ପରୀକ୍ଷାରେ ଦୌଡ଼ ସମେତ ଶାରୀରିକ ପରୀକ୍ଷା ଦେଇଥିବା ପ୍ରାୟ ୧୦୦ ଜଣ ପରୀକ୍ଷାର୍ଥୀ ଏପର୍ଯ୍ୟନ୍ତ ଅଚେତ ହୋଇପଡ଼ିଛନ୍ତି। ଏହି ନିଯୁକ୍ତି ପ୍ରକ୍ରିୟା ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ସେପଟେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଘଟଣାକୁ ତୁରନ୍ତ ଗୁରୁତ୍ୱ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଝାଡ଼ଖଣ୍ଡ ଷ୍ଟାଫ୍ ସିଲେକ୍ସନ କମିସନ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ମାଧ୍ୟମରେ ମୋଟ ୫୮୩ ଟି ପଦବିରେ ନିଯୁକ୍ତି ଦିଆଯିବ। ବିଭିନ୍ନ ଜିଲ୍ଲାରେ ଚାଲିଛି ଶାରୀରିକ ପରୀକ୍ଷା ପ୍ରକ୍ରିୟା। ଏଥିପାଇଁ ୧୦ କିଲୋମିଟର ଦୌଡ଼ିବାକୁ ପଡ଼ିବ। ପ୍ରଖର ଖରାରେ ଦୌଡ଼ିବା କାରଣରୁ ଅନେକ ପ୍ରାର୍ଥୀ ଅଚେତ ହେଉଛନ୍ତି। ସପ୍ତାହେ ତଳେ ପୂର୍ବ ସିଂହଭୂମ ଜିଲ୍ଲାର ଜାଡୁଗୋଡ଼ାରେ ଦୌଡ଼ ବେଳେ ଗିରିଡିହର କେଶ୍ୱରୀର ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟାନ୍ୟ ଜିଲ୍ଲାରୁ ପ୍ରାର୍ଥୀମାନେ ଅସୁସ୍ଥ ହେବାର ଖବର ଆସୁଛି।
ଅଧିକ ପଢ଼ନ୍ତୁ: ଆଜି ୩ଟି ବନ୍ଦେ ଭାରତ ଟ୍ରେନ୍ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ