ଟେକ୍ସାସ: ଆମେରିକାର ଟେକ୍ସାସ ସହର ନିକଟରେ ଏକ ଟ୍ରେନ୍ ଦୁର୍ଘଟଣା ଘଟିଛି। ୟୁନିଅନ୍ ପାସିଫିକ୍ ଟ୍ରେନ୍ର ୩୫ଟି କୋଚ୍ ହଠାତ୍ ଲାଇନଚ୍ୟୁତ ହୋଇଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି। ଅଧିକାରୀମାନେ କହିଛନ୍ତି ଯେ ମଙ୍ଗଳବାର ଅପରାହ୍ନରେ ଟେକ୍ସାସର ଏକ ଛୋଟ ସହର ନିକଟରେ ୟୁନିଅନ୍ ପାସିଫିକ୍ ଟ୍ରେନ୍ର ୩୫ଟି କୋଚ୍ ଲାଇନଚ୍ୟୁତ ହୋଇଛି।
ୟୁନିଅନ୍ ପାସିଫିକ୍ ମୁଖପାତ୍ର ରବିନ୍ ଟାଇସୱାର୍ କହିଛନ୍ତି ଯେ ମଙ୍ଗଳବାର ଅପରାହ୍ନରେ ଏହି ଦୁର୍ଘଟଣାରେ କୌଣସି ମୃତାହତଙ୍କ ସୂଚନା ମିଳିନାହିଁ। ଟାଇସୱାର୍ କହିଛନ୍ତି ଯେ ଦୁର୍ଘଟଣାଟି ଗର୍ଡନ୍ ସହର ପୂର୍ବରେ ଅପରାହ୍ନ ପ୍ରାୟ ୨ଟା ସମୟରେ ଘଟିଥିଲା। ଗର୍ଡନ୍ ଫୋର୍ଟ ୱର୍ଥରୁ ପ୍ରାୟ ୧୦୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ।
ଗଣମାଧ୍ୟମରେ ପ୍ରକାଶିତ ଫଟୋରେ ରେଳ ଟ୍ରାକ୍ ଉପରେ ଅନେକ ଟ୍ରେନ୍ କୋଚ୍ ପରସ୍ପର ଉପରେ ଗଦା ହୋଇଥିବା ଦେଖାଯାଉଛି। ଲାଇନଚ୍ୟୁତ ସ୍ଥାନ ନିକଟରେ ଘାସରେ ନିଆଁ ଏବଂ ଧୂଆଁ ଦେଖାଯାଇଥିଲା। ଜରୁରୀକାଳୀନ ସେବା ବିଭାଗ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଦୁର୍ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି। ଲାଇନଚ୍ୟୁତ ଟ୍ରେନ୍ କୋଚ୍ରେ କ’ଣ ଥିଲା ତାହା ତୁରନ୍ତ ନିର୍ଣ୍ଣୟ କରାଯାଇପାରି ନାହିଁ।
ପାଲୋ ପିଣ୍ଟୋ କାଉଣ୍ଟି ଜରୁରୀକାଳୀନ ସେବା ଦ୍ୱାରା ସୋସିଆଲ ମିଡିଆରେ ଏକ ପୋଷ୍ଟ ଅନୁଯାୟୀ କୌଣସି ଟ୍ରେନ୍ ବଗିରୁ କୌଣସି ସାମଗ୍ରୀ ଲିକ୍ ହୋଇନାହିଁ। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଜରୁରୀକାଳୀନ ସେବା ଏକ ବିବୃତ୍ତିରେ କହିଛି, ଆମର କର୍ମଚାରୀମାନେ ଘଟଣାସ୍ଥଳରେ ଅଛନ୍ତି ଏବଂ କ୍ଷୟକ୍ଷତି ଏବଂ ବିପଦକୁ କମ କରିବାକୁ ଚେଷ୍ଟା କରୁଛନ୍ତି। ଅଗ୍ନିଶମ ବାହିନୀର ଅଧିକାରୀମାନେ ଘଟଣାସ୍ଥଳରେ ସତର୍କତାର ସହ କାର୍ଯ୍ୟ କରୁଛନ୍ତି। ଅଗ୍ନିଶମ ବାହିନୀ ବିଭାଗ ଘାସ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ କାମ କରୁଛି।
ଅଧିକ ପଢ଼ନ୍ତୁ: ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲା ସେନା