କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ବୁଧବାର ଏକ ଆତ୍ମଘାତୀ ଆକ୍ରମଣ ତାଲିବାନ ସରକାରଙ୍କୁ ଚକିତ କରିଛି। ଏହି ଆକ୍ରମଣରେ ତାଲିବାନର ଶରଣାର୍ଥୀ ମନ୍ତ୍ରୀ ଖଲିଲ ତୁମର ରେହମାନ ହକ୍କାନି ଏବଂ ଅନ୍ୟ ଦୁଇ ଜଣ ପ୍ରାଣ ହରାଇଛନ୍ତି। ତାଲିବାନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ କୁହାଯାଉଥିବା ମନ୍ତ୍ରାଳୟ ଭିତରେ ଏହି ଆକ୍ରମଣ ହୋଇଛି। ଖଲିଲ ହକ୍କାନି ତାଲିବାନର ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନିଙ୍କ ମାମୁଁ ଥିଲେ। ସିରାଜୁଦ୍ଦିନ ତାଲିବାନର ସବୁଠାରୁ ପ୍ରଭାବଶାଳୀ ନେତା ଏବଂ ସଂଗଠନର ମେରୁଦଣ୍ଡ ବୋଲି ବିବେଚନା କରାଯାଏ।
ତିନି ବର୍ଷ ତଳେ ତାଲିବାନ କାବୁଲରେ କ୍ଷମତା ଦଖଲ କରିଥିଲା, କିନ୍ତୁ ପ୍ରଥମ ଥର ପାଇଁ ଏହାର କୌଣସି ଶୀର୍ଷ ନେତାଙ୍କୁ ଏଭଳି ଟାର୍ଗେଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା କୌଣସି ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏହି ଘଟଣାରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଖଲିଲ ହକ୍କାନି ଜଣେ ମହାନ ଯୋଦ୍ଧା ଥିଲେ ଯିଏ କି ଇସଲାମର ସୁରକ୍ଷା ପାଇଁ ନିଜ ଜୀବନ କୁ ଉତ୍ସର୍ଗ କରିଥିଲେ। ବିଶେଷଜ୍ଞଙ୍କ ମତରେ ଏହି ଆକ୍ରମଣ ତାଲିବାନ ପାଇଁ ଏକ ବଡ଼ ଝଟକା କାରଣ ଏହା ସରକାରଙ୍କ ବିରୋଧରେ ବଢୁଥିବା ଅସନ୍ତୋଷକୁ ପ୍ରତିଫଳିତ କରୁଛି।
ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇଶାକ ଡାର୍ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ଡାର୍ କହିଛନ୍ତି ଯେ ପାକିସ୍ତାନ ସମସ୍ତ ପ୍ରକାର ଆତଙ୍କବାଦକୁ ବିରୋଧ କରୁଛି ଏବଂ କାବୁଲ ସହ ଯୋଗାଯୋଗରେ ଅଛି। ତେବେ ମିଳିଥିବା ସୂଚନା ଅନୁଯାୟୀ ଖଲିଲ ହକ୍କାନି ପାକିସ୍ତାନ ଉପରେ ରାଗିଯାଇଥିଲେ। ଏହି ଅସନ୍ତୋଷ ଆକ୍ରମଣର ଏକ ପ୍ରମୁଖ କାରଣ ହୋଇପାରେ।
ତାଲିବାନର ମୁଖ୍ୟ ଶତ୍ରୁ ଇସ୍ଲାମିକ୍ ଷ୍ଟେଟ୍ ସହ ଜଡ଼ିତ ଆତଙ୍କବାଦୀ ସଂଗଠନ ଏହି ସଙ୍ଗଠନକୁ ଟାର୍ଗେଟ ଜାରି ରଖିଛି। ନିକଟରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ଏହି ଗୋଷ୍ଠୀର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ସେପ୍ଟେମ୍ବର ମାସରେ କାବୁଲରେ ସମାନ ଗୋଷ୍ଠୀ ଦ୍ୱାରା ହୋଇଥିବା ବୋମା ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ଡଜନାଧିକ ଲୋକ ଆହତ ହୋଇଥିଲେ। ଏହି ଗୋଷ୍ଠୀ ଏବେ ଆଫଗାନିସ୍ତାନରେ ଦୁର୍ବଳ ସ୍ଥିତିରେ ଥିବା ସିଆ ମୁସଲମାନ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରୁଛି।
ନିକଟ ଅତୀତରେ ମହିଳା ଓ ବାଳିକାଙ୍କ ଅଧିକାରକୁ ନେଇ ଦେଇଥିବା ବିବାଦୀୟ ବୟାନ ଯୋଗୁଁ ଖଲିଲ ହକ୍କାନିଙ୍କ ମୃତ୍ୟୁ ଘଟିଥାଇପାରେ ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି। କ୍ରାଇସିସ୍ ଗ୍ରୁପ୍ର ଦକ୍ଷିଣ ଏସିଆ କାର୍ଯ୍ୟକ୍ରମର ବିଶ୍ଳେଷକ ଇବ୍ରାହିମ୍ ବାହିସଙ୍କ କହିବା ଅନୁଯାୟୀ, ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନି ଏହି ବୟାନକୁ ସମାଲୋଚନା କରିଛନ୍ତି। ଯଦିଓ ଏହି ଘଟଣା ତାଲିବାନରେ ଗୃହଯୁଦ୍ଧ ଭଳି ପରିସ୍ଥିତିକୁ ପ୍ରତିଫଳିତ କରୁନାହିଁ, ତଥାପି କ୍ଷମତାକୁ ବଜାୟ ରଖିବା ପାଇଁ ଲଢ଼େଇ ତୀବ୍ର ହୋଇଛି।
ଅଧିକ ପଢ଼ନ୍ତୁ: ସି ଜିନପିଙ୍ଗଙ୍କୁ ନିମନ୍ତ୍ରଣ କଲେ ଟ୍ରମ୍ପ