ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡସ୍‌ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ
Khabar Odisha:Sports-cricket-Australian-cricketer-Andrew-Symonds-passes-away

ସିଡ୍‌ନୀ, ମେ ୧୫ (ଖବର ଓଡ଼ିଶା): କ୍ରୀଡ଼ା ଜଗତ ପାଇଁ ପୁଣି ଥର ବଡ଼ ଦୁଃଖଦ ଖବର ଆସିଛି । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡସ୍‌ଙ୍କ ପରଲୋକ ହୋଇଯାଇଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ସାଇମଣ୍ଡସ୍‌ ଶନିବାର ରାତିରେ ଟାଉନ୍ସଭିଲେରେ ଏକ କାର ଦୁର୍ଘଟଣାର ସାମ୍ନା କରିଛନ୍ତି । ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା । ଦୁର୍ଘଟଣାର ସାମ୍ନା କରିଥିବା ସାଇମଣ୍ଡସ୍‌ଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରାଯାଇଥିଲା । କିନ୍ତୁ ଏହା ବିଫଳ ହୋଇଛି । ପୋଲିସ କହିବା ଅନୁସାରେ ଦୁର୍ଘଟଣା ଅତି ଭୟଙ୍କର ଥିଲା । ପୂର୍ବତନ କ୍ରିକେଟରଙ୍କ ଶରୀରରେ ଗଭୀର କ୍ଷତ ପହଞ୍ଚିଥିଲା । 

ଆଣ୍ଡ୍ରୁ ସାଇମଣ୍ଡସ୍‌ଙ୍କ ଦେହାନ୍ତ ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି । ସୂଚନାଯୋଗ୍ୟ, କିଛି ମାସ ପୂର୍ବରୁ ଅଷ୍ଟ୍ରେଲିଆର ଅନ୍ୟତମ ବିଶିଷ୍ଟ ଖେଳାଳି ସେନ୍ ୱାର୍ଣ୍ଣଙ୍କ ପରଲୋକ ହୋଇଯାଇଥିଲା । 

କୁଇନ୍ସଲ୍ୟାଣ୍ଡ ପୋଲିସ କହିଛି ଯେ, ସହର ଠାରୁ ପାଖାପାଖି ୫୦ କିଲୋମିଟର ଭେଷ୍ଟର ହର୍ଭେ ରେଞ୍ଜରେ ରାତି ପ୍ରାୟ ୧୦ଟା ୩୦ରେ ସାଇମଣ୍ଡ ଦୁର୍ଘଟଣାର ସାମ୍ନା କରିଥିଲେ। ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ପୋଲିସ ତୁରନ୍ତ ପହଞ୍ଚିଥିଲା । ଆରମ୍ଭରୁ ସୂଚନା ମିଳିଥିଲା ଯେ, ସାଇମଣ୍ଡସ୍‌ଙ୍କ କାର୍ ସଡ଼କରେ ଓଲଟି ପଡ଼ିଥିଲା । କାର୍‌ରେ ସାଇମଣ୍ଡ ଥିଲେ । ତାଙ୍କୁ ଆମ୍ବୁଲାନ୍ସରେ ହସ୍‌ପିଟାଲ ନିଆଯାଇଥିଲା । କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ । 

ସୂଚନାଯୋଗ୍ୟ, ଆଣ୍ଡ୍ରୁ ସାଇମଣ୍ଡସ୍‌ ଅଷ୍ଟ୍ରେଲିଆ ପାଇଁ ୨୬ଟି ଟେଷ୍ଟ, ୧୯୮ଟି ଦିନିକିଆ ଓ ୧୨ଟି ଟି-୨୦ ମ୍ୟାଚ ଖେଳିଥିଲେ । ସେ ୨୦୦୩ ଓ ୨୦୦୭ରେ ଅଷ୍ଟ୍ରେଲିଆର ବିଶ୍ୱକପ ବିଜୟରେ ବଡ଼ ଭୂମିକା ନେଇଥିଲେ । 

 

  • Tags:

Subscribe

National International State Sports Entertainment