ନୂଆଦିଲ୍ଲୀ, ସେପ୍ଟେମ୍ବର ୨୯ (ଖବର ଓଡ଼ିଶା): ଭାରତୀୟ କ୍ରିକେଟ ଟିମ୍ ୩ ମ୍ୟାଚର ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ପରାସ୍ତ କରିଛି । ଟିମ୍ ଇଣ୍ଡିଆ ଏହି ବିଜୟର ସହିତ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଲଗାତାର ୩ୟ ମ୍ୟାଚ ଜିତିଛି । ଏହା ପୂର୍ବରୁ ଅଷ୍ଟ୍ରେଲିଆକୁ ଭାରତ ୩ ମ୍ୟାଚର ଶୃଙ୍ଖଳାର ଅନ୍ତିମ ୨ଟି ମ୍ୟାଚ (ନାଗପୁର ଓ ହାଇଦ୍ରାବାଦ)ରେ ଜିତିଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ବିଜୟ ପରେ ରୋହିତ ଶର୍ମା ବଡ଼ ଉପଲବ୍ଧି ହାସଲ କରିଛନ୍ତି ।
ଡାହାଣହାତୀ ଅଭିଜ୍ଞ ବ୍ୟାଟର ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଏହା ୧୬ତମ ବିଜୟ । ଏହା ପୂର୍ବରୁ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧୫ଟି ମ୍ୟାଚ ଜିତିଥିଲେ । ଧୋନୀ ଏହି କାମ ୨୦୧୬ରେ କରିଥିଲେ ।
ତିରୁଅନନ୍ତପୁରମସ୍ଥିତ ଗ୍ରିନଫିଲ୍ଡ ଷ୍ଟାଡିୟମରେ ବୁଧବାର ୩୫ ବର୍ଷୀୟ ରୋହିତ ଶର୍ମା ଦ୍ରୁତବୋଲର କାଗିସୋ ରାବାଡାଙ୍କ ଶିକାର ହୋଇଥିଲେ । ସେ ଖାତା ଖୋଲିପାରି ନଥିଲେ । ସୂଚନାଯୋଗ୍ୟ ରୋହିତ ଶର୍ମା ଏପର୍ଯ୍ୟନ୍ତ କାଗିସୋ ରାବାଡାଙ୍କ ଦ୍ୱାରା ୧୦ ଥର ଆଉଟ ହୋଇସାରିଛନ୍ତି । କିନ୍ତୁ କ୍ରିକେଟର ୩ଟି ଫର୍ମାଟରେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ ସାଉଦୀ ସର୍ବାଧିକ ୧୧ ଥର ଆଉଟ କରିଛନ୍ତି ।