ଆନନ୍ଦ: ଗୁଜରାଟର ଆନନ୍ଦ ଜିଲ୍ଲାରେ ଅହମଦାବାଦ-ଭଦୋଦରା ଏକ୍ସପ୍ରେସ୍ୱେରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ୍ ଓ ବସ୍ ଧକ୍କା ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଆଠ ଜଣ ଲୋକ ଗୁରୁତର ଅଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଏକ ବିଳାସମୟ ବସ୍ ମହାରାଷ୍ଟ୍ରରୁ ରାଜସ୍ଥାନ ଅଭିମୁଖେ ଯାଉଥିଲା। ଭୋର ସକାଳ ସାଢ଼େ ୪ଟାରେ ଆନନ୍ଦ ନିକଟରେ ଏକ୍ସପ୍ରେସ୍ୱେରେ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୩ ଜଣ ଚିକିତ୍ସାଧୀନ ଅବସ୍ଥାନରେ ଆଖି ବୁଜିଥିଲେ। ଆହତମାନଙ୍କୁ ଆନନ୍ଦର ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ବସ୍ଟି ଖରାପ ହୋଇ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ଟ୍ରକ୍ ଧକ୍କା ଦେଇଥିଲା।
ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି, ଅହମଦାବାଦ-ଭଦୋଦରା ଏକ୍ସପ୍ରେସ୍ୱେରେ ଦ୍ରୁତଗତିରେ ଯାଉଥିବା ଟ୍ରକ୍ ଓ ବସ୍ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣା ପରେ ବସ୍ ଓ ଟ୍ରକ କ୍ଷତିଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଆହତମାନଙ୍କୁ ଆମ୍ବୁଲାନ୍ସରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।
ସୂଚନାଯୋଗ୍ୟ, ତିନିମାସ ପୂର୍ବରୁ ଅର୍ଥାତ ଗତ ଏପ୍ରିଲ ୧୮ ତାରିଖରେ ଅହମଦାବାଦ-ଭଦୋଦରା ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଏଥିରେ ଜଣେ ୫ ବର୍ଷ ବୟସର ଶିଶୁକନ୍ୟା ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଗୁଜରାଟର ଖେଡା ଜିଲ୍ଲା ନଦିଆଦ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।