ନୂଆଦିଲ୍ଲୀ: ଉତ୍ତର ଭାରତରେ କ୍ରମାଗତ ବର୍ଷା ଯୋଗୁଁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ପଞ୍ଜାବ, ହରିୟାଣା, ହିମାଚଳ, ଜମ୍ମୁ କଶ୍ମୀର, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ଏବଂ ବିହାରରେ ଏହାର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳୁଛି। ପଞ୍ଜାବର ପରିସ୍ଥିତି ବିଶେଷ ଗମ୍ଭୀର ହୋଇଛି। ପଞ୍ଜାବର ସମସ୍ତ ୨୩ ଜିଲ୍ଲାକୁ ବନ୍ୟା ପ୍ରଭାବିତ ଘୋଷଣା କରାଯାଇଛି। ଜମ୍ମୁ କଶ୍ମୀର, ହିମାଚଳରେ ଜାତୀୟ ରାଜପଥ ସମେତ ଶହ ଶହ ଛୋଟ ବଡ଼ ରାସ୍ତା ବନ୍ଦ ରହିଛି।
ପାଣିପାଗ ବିଭାଗ ବୁଧବାର ହିମାଚଳ, ଉତ୍ତରାଖଣ୍ଡ, ଜମ୍ମୁ, ପଞ୍ଜାବ ଏବଂ ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଚେତାବନୀ ଜାରି କରିଛି। ଯମୁନା, ସତଲେଜ, ରବି ଏବଂ ବ୍ୟାସ ନଦୀରେ ପାଣି ନିରନ୍ତର ବୃଦ୍ଧି ପାଉଛି, ଯାହା ଫଳରେ ପଞ୍ଜାବ ଏବଂ ହରିୟାଣା ପରେ ଏବେ ଦିଲ୍ଲୀରେ ମଧ୍ୟ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି। ପଞ୍ଜାବରେ ବନ୍ୟା ପରିସ୍ଥିତି ଚିନ୍ତାଜନକ। ଭାକ୍ରା ଡ୍ୟାମର ଜଳସ୍ତର ୧୬୭୭ ଫୁଟରେ ପହଞ୍ଚିଛି, ଯାହା ବିପଦ ସଙ୍କେତଠାରୁ ମାତ୍ର ତିନି ଫୁଟ କମ୍।
ନାଙ୍ଗଲ ହାଇଡେଲ ଚ୍ୟାନେଲରେ ଫାଟ ଯୋଗୁଁ ସତଲେଜ ନଦୀରେ ପାଣି ଛଡାଯାଉଛି। ଏହା ସତଲେଜ୍ ନଦୀ କୂଳରେ ଅବସ୍ଥିତ ସହରଗୁଡ଼ିକରେ ବନ୍ୟାର ଆଶଙ୍କା ବୃଦ୍ଧି ପାଇଛି। ରାଜ୍ୟରେ ବନ୍ୟା ଯୋଗୁଁ ୧୪୦୦ ଗାଁର ୩.୫୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ଏବେ ୩୦ରେ ପହଞ୍ଚିଛି। ଅମୃତସରର ସାଥିୟାଲା ଗାଁରେ ଏକ କୋଠରୀର ଛାତ ପଡ଼ିବାରୁ ଜଣେ ୧୧ ବର୍ଷୀୟା ଝିଅର ମୃତ୍ୟୁ ହୋଇଛି ଏବଂ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି।
ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଫିରୋଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଗାଁ ପରିଦର୍ଶନ କରିଛନ୍ତି। ମଙ୍ଗଳବାର ଜମ୍ମୁ-ପଠାନକୋଟ ରେଳ ଲାଇନରେ ଦୁଇଟି ଟ୍ରେନର ଚଳାଚଳ ପୁନର୍ବାର ଆରମ୍ଭ ହୋଇଛି। ହିମାଚଳର କୁଲୁ ଏବଂ କସୌଲିରେ ଭଗ୍ନାବଶେଷ ତଳେ ଚାପି ହୋଇ ତିନି ଜଣ ମହିଳା ପ୍ରାଣ ହରାଇଛନ୍ତି, ଯେତେବେଳେ ଦୁଇ ଜଣ ଆହତ ହୋଇଛନ୍ତି। କୁଲୁର ଧଳପୁରରେ ଭୂସ୍ଖଳନ ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି, ଯେତେବେଳେ ଆନି ଉପଖଣ୍ଡର ଲୋୟର ପତର୍ନା ଗାଁରେ ଭୂସ୍ଖଳନରେ ଫସି ରହିଥିବା ଜଣେ ମହିଳାଙ୍କ ମୃତଦେହ ଚାରି ଦିନ ପରେ ଉଦ୍ଧାର କରାଯାଇଛି। ସୋଲାନରେ ଏକ ଘର ଭୁଶୁଡ଼ି ପଡ଼ିବା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।
ଅଧିକ ପଢ଼ନ୍ତୁ: ବିଜେଡ଼ିକୁ ସୁରେଶ ପୂଜାରୀଙ୍କ କଟାକ୍ଷ