ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ୍ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦ ଭବନରେ ପହଞ୍ଚିଲା ପରେ ପ୍ରଧାନମନ୍ତ୍ରୀ ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ଉପରାଷ୍ଟ୍ରପତି ଜଗଦୀପ ଧନଖର ଏବଂ ଅନେକ କେନ୍ଦ୍ରମନ୍ତ୍ରୀ ତାଙ୍କୁ ସ୍ୱାଗତ କରିବା ପାଇଁ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଫେବ୍ରୁଆରି ପହିଲାରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରାଯିବ। ବଜେଟ୍ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଗୁରୁବାର ସରକାର ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ନେଇ ଏକ ବୈଠକ ଡାକିଥିଲେ। ଚଳିତ ବଜେଟ୍ ଅଧିବେଶନରେ ସରକାର ୱାକଫ୍ ସଂଶୋଧନ ବିଲ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ କରିପାରନ୍ତି। ଏହାବ୍ୟତୀତ ସରକାର ଆଉ ୧୬ଟି ବିଲ୍ ଉପସ୍ଥାପନ କରିପାରନ୍ତି। ତେବେ ବଜେଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ବନ୍ଧୁଗଣ, ଆମ ଗଣତନ୍ତ୍ର୭୫ ବର୍ଷ ପୂରଣ କରିଛି। ଦେଶର ଜନତା ମୋତେ ତୃତୀୟ ଥର ପାଇଁ ଏହି ଦାୟିତ୍ୱ ଦେଇଛନ୍ତି। ଏହି ତୃତୀୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ମୁଁ ବିଶ୍ୱାସ ସହ କହିପାରିବି ଯେ ୨୦୪୭ରେ ଯେତେବେଳେ ଆମେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ, ସେତେବେଳେ ଦେଶ ନେଇଥିବା ବିକଶିତ ଭାରତର ସଂକଳ୍ପ ଚଳିତ ବଜେଟ ଅଧିବେଶନରେ ପୂରଣ ହେବ ଏବଂ ଏହି ବଜେଟ୍ ଏକ ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରିବ। ଏହା ନୂଆ ଶକ୍ତି ପ୍ରଦାନ କରିବ ଯେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କଲେ ଏହାର ବିକାଶ ହେବ। ୧୪୦ କୋଟି ଦେଶବାସୀ ସାମୂହିକ ଉଦ୍ୟମ ରେ ଏହି ସଂକଳ୍ପକୁ ପୂରଣ କରିବେ।