ପୁଣେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍ ଜାନୁଆରି ୩୧ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ (ଏମ୍ସିଏ) ଷ୍ଟାଡିୟମରେ ଖେଳାଯିବ। ସିରିଜ୍ରେ ଟିମ୍ ଇଣ୍ଡିଆ ଏବେ ୨-୧ରେ ଆଗୁଆ ରହିଛି। ସିରିଜର ପ୍ରଥମ ମ୍ୟାଚ୍ କୋଲକାତାରେ ଖେଳାଯାଇଥିଲା, ଯେଉଁଥିରେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା। ଏହାପରେ ଚେନ୍ନାଇ ଟି-୨୦ରେ ଭାରତ ଇଂଲଣ୍ଡକୁ ୨ ୱିକେଟରେ ପରାସ୍ତ କରିଥିଲା। ତେବେ ରାଜକୋଟ ଟି-୨୦ରେ ଭାରତକୁ ୨୬ ରନରେ ପରାସ୍ତ କରି ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ କରିଛି। ଏବେ ପୁଣେ ଟି-୨୦ ଜିତି ସିରିଜ୍ ହାତେଇବା ଭାରତୀୟ ଦଳର ଲକ୍ଷ୍ୟ ରହିବ। ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟାରୁ ମ୍ୟାଚ୍ ଆରମ୍ଭ ହେବ।
ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ଉପରେ ସମସ୍ତଙ୍କ ନଜର ରହିବ। ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳରେ କିଛି ପରିବର୍ତ୍ତନ ହୋଇପାରେ। ଅର୍ଶଦୀପ ସିଂହ ଏହି ମ୍ୟାଚ୍ ପାଇଁ ଦଳକୁ ଫେରିପାରନ୍ତି। ବାମହାତୀ ଦ୍ରୁତ ବୋଲର ଅର୍ଶଦୀପଙ୍କୁ ରାଜକୋଟରେ ଖେଳାଯାଇଥିବା ଶେଷ ମ୍ୟାଚ୍ ପାଇଁ ବିଶ୍ରାମ ଦିଆଯାଇଥିଲା। ଏଥିସହ ଅଲରାଉଣ୍ଡର ଶିବମ୍ ଦୁବେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି। ନୀତୀଶ କୁମାର ରେଡ୍ଡୀଙ୍କ ସ୍ଥାନରେ ଶିବମଙ୍କୁ ଦଳରେ ସାମିଲ କରାଯାଇଥିଲା। ସାଇଡ୍ ଷ୍ଟ୍ରେନ୍ କାରଣରୁ ନୀତୀଶ ଏହି ସିରିଜ୍ରୁ ବାଦ୍ ପଡ଼ିଥିଲେ।
ଲେଗ୍ ସ୍ପିନର ରବି ବିଷ୍ନୋଇଙ୍କ ସ୍ଥାନରେ ଅର୍ଶଦୀପ ସିଂହଙ୍କୁ ଏହି ମ୍ୟାଚ୍ ପାଇଁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ। ବିଷ୍ଣୋଇ ଗତ ମ୍ୟାଚ୍ରେ ୪ ଓଭରରେ ୪୬ ରନ୍ ଦେଇ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଏହି ସିରିଜରେ ବିଷ୍ନୋଇ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ। ଅନ୍ୟପକ୍ଷରେ ଏହି ଶୃଙ୍ଖଳାରେ ଦୁଇଟି ମ୍ୟାଚ୍ ଖେଳି ମାତ୍ର ୬ ରନ୍ କରିଥିବା ଧ୍ରୁବ ଜୁରେଲଙ୍କ ସ୍ଥାନରେ ବାମହାତୀ ବ୍ୟାଟ୍ସମ୍ୟାନ୍ ଶିବମ୍ ଦୁବେଙ୍କୁ ସୁଯୋଗ ମିଳିପାରେ। ଇଂଲଣ୍ଡର ସ୍ପିନର ଆଦିଲ ରସିଦଙ୍କ ବିପକ୍ଷରେ ଭାରତର ମଧ୍ୟକ୍ରମ ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି, ତେଣୁ ଶିବମ୍ ଏକ ଭଲ ବିକଳ୍ପ ହୋଇପାରନ୍ତି।
ତେବେ ସଞ୍ଜୁ ସାମସନ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଖରାପ ଫର୍ମ ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଶତକ ହାସଲ କରି କେରଳର ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ସାମସନ୍ ଟି-୨୦ ସିଜନ ଆରମ୍ଭ କରିଥିଲେ। କିନ୍ତୁ ଚଳିତ ସିରିଜରେ ତାଙ୍କ ସ୍କୋର ୨୬, ୫ ଓ ୩ ରହିଛି, ଯାହା ଚିନ୍ତାଜନକ। ସାମସନ୍ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ କ୍ଷୁଦ୍ର ବଲ୍ ବିପକ୍ଷରେ ସଂଘର୍ଷ କରୁଛନ୍ତି, ଯିଏ କି ତାଙ୍କୁ ତିନୋଟି ଯାକ ମ୍ୟାଚ୍ ରେ ଆଉଟ୍ କରିଛନ୍ତି। ଅଧିନାୟକ ସୂର୍ଯ୍ୟକୁମାର ୩ଟି ମ୍ୟାଚ୍ ରେ ମିଳିତ ଭାବେ ମାତ୍ର ୨୬ ରନ୍ କରିଛନ୍ତି। ସୂର୍ଯ୍ୟ ମଧ୍ୟ ତିନୋଟି ଇନିଂସରେ ଦ୍ରୁତ ବୋଲରଙ୍କ ଶିକାର ହୋଇଛନ୍ତି।