ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନୂଆବର୍ଷ-୨୦୨୫ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରି ରାଷ୍ଟ୍ରପତି ଲେଖିଛନ୍ତି, ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଉଛି। ୨୦୨୫ ବର୍ଷ ସମସ୍ତଙ୍କ ପାଇଁ ଆନନ୍ଦ, ସୌହାର୍ଦ୍ଦ୍ୟ ଓ ସମୃଦ୍ଧି ଆଣିଦେଉ। ଏହି ଅବସରରେ ଆସନ୍ତୁ ଭାରତ ଏବଂ ବିଶ୍ୱ ପାଇଁ ଏକ ଉଜ୍ଜ୍ୱଳ, ଅଧିକ ସମାବେଶୀ ଏବଂ ସ୍ଥାୟୀ ଭବିଷ୍ୟତ ସୃଷ୍ଟି କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଆମର ପ୍ରତିବଦ୍ଧତାକୁ ନବୀକରଣ କରିବା।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟୁଇଟ୍ କରି ଲେଖିଛନ୍ତି, ଏହି ବର୍ଷ ସମସ୍ତଙ୍କୁ ନୂଆ ସୁଯୋଗ, ସଫଳତା ଏବଂ ଅସୀମ ଆନନ୍ଦ ଆଣିଦେଉ। ସମସ୍ତେ ଚମତ୍କାର ସ୍ୱାସ୍ଥ୍ୟ ଏବଂ ସମୃଦ୍ଧିର ଆଶୀର୍ବାଦ ପାଆନ୍ତୁ।
ଭାରତ ସମେତ ସାରା ବିଶ୍ୱରେ ଖୁବ ଉତ୍ସାହର ସହ ନୂଆବର୍ଷ ୨୦୨୫ ଆରମ୍ଭ ହୋଇଛି। ନୂଆବର୍ଷକୁ ସ୍ୱାଗତ କରିବା ପରେ ଲୋକେ ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି। ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ବିଭିନ୍ନ ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଠି ଗୋଟିଏ ଦିନ ପୂର୍ବରୁ ଲୋକଙ୍କ ସମାଗମ ଆରମ୍ଭ ହୋଇଥିଲା। ନୂଆବର୍ଷ ଉତ୍ସବରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରଗୁଡ଼ିକ ଉଜ୍ଜ୍ୱଳ ଦେଖିବାକୁ ମିଳିଥିଲା। ମେଟ୍ରୋ ସହରଗୁଡ଼ିକରେ ନୂଆବର୍ଷ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଭାରତରେ ନୂଆବର୍ଷ ପାଇଁ ଚାରିଆଡ଼େ ଉତ୍ସାହ ଦେଖାଯାଇଛି। ଗାଁ ଠୁ ସହର ଏବଂ କଶ୍ମୀରରୁ କନ୍ୟାକୁମାରୀ ଯାଏଁ ସବୁଆଡ଼େ ନୂଆବର୍ଷର ଝଲକ ଦେଖିବାକୁ ମିଳିଛି। ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଜମ୍ମୁ କଶ୍ମୀରରେ ପ୍ରବଳ ଥଣ୍ଡାକୁ ଶାତିର ନକରି ଯୁବପିଢ଼ି ମଧ୍ୟରାତ୍ରୀରେ ବାଣ ଫୁଟାଇଛନ୍ତି। ଆଧ୍ୟାତ୍ବିକର ଦେଶ ଭାରତର ବିଭିନ୍ନ ଧାର୍ମିକସ୍ଥଳରେ ମଧ୍ୟ ଶ୍ରଦ୍ଧାଳୁମାନେ ଧାର୍ମିକ ଭାବନାର ସହିତ ନୂଆବର୍ଷ ଆରମ୍ଭ କରିଛନ୍ତି। ପଞ୍ଜାବର ଅମୃତସର, ଉଜ୍ଜୈନର ମହାକାଳେଶ୍ବର, ଅଯୋଧ୍ୟାର ରାମମନ୍ଦିର, ବାରାଣସୀର କାଶୀବିଶ୍ବନାଥ, ତାମିଲନାଡୁର ରାମେଶ୍ବର, ଆନ୍ଧ୍ରପ୍ରଦେଶର ତିରୁପତି, କେରଳର ପଦ୍ମନାଭସ୍ବାମୀ, ମୁମ୍ବାଇର ସିଦ୍ଧିବିନାୟକ, ପୁରୀର ଶ୍ରୀମନ୍ଦିରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି।
ଅଧିକ ପଢ଼ନ୍ତୁ: ଭାରତ ସମେତ ସାରା ବିଶ୍ୱରେ ଉତ୍ସା ସହ ନୂଆବର୍ଷ ଆରମ୍ଭ