ନୂଆଦିଲ୍ଲୀ: ଆୟର୍ଲାଣ୍ଡ ଅଧିନାୟକ ପଲ୍ ଷ୍ଟର୍ଲିଙ୍ଗ କ୍ରିକେଟ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡିଛନ୍ତି। ଦୁବାଇରେ ୟୁଏଇ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଷ୍ଟର୍ଲିଙ୍ଗ ତାଙ୍କର ୧୬୦ତମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳି ଏହି ଫର୍ମାଟରେ ସର୍ବାଧିକ ମ୍ୟାଚ୍ ଖେଳିଥିବା ବିଶ୍ୱର ପ୍ରଥମ ପୁରୁଷ କ୍ରିକେଟର ହୋଇଛନ୍ତି। ଏହି ରେକର୍ଡ ସହିତ ସେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି, ଯିଏ ୧୫୯ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।
ପଲ୍ ଷ୍ଟର୍ଲିଙ୍ଗ ୨୦୦୯ ମସିହାରେ ପାକିସ୍ତାନ ବିପକ୍ଷରେ ତାଙ୍କର ଟି-୨୦ ଆନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ସେବେଠାରୁ ତାଙ୍କୁ ଆୟର୍ଲାଣ୍ଡର ଟି-୨୦ ଦଳର ସବୁଠାରୁ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଭାବରେ ବିବେଚନା କରାଯାଉଛି। ଓପନିଂ ସ୍ଲଟରେ ଖେଳୁଥିବା ଷ୍ଟର୍ଲିଙ୍ଗ ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା। ପାୱାରପ୍ଲେ ଓଭରରେ ଶୀଘ୍ର ସ୍କୋର କରିବାର କ୍ଷମତା ତାଙ୍କର ସବୁଠାରୁ ବଡ଼ ଶକ୍ତି ହୋଇଛି, ଯାହା ଆୟର୍ଲାଣ୍ଡକୁ ଅନେକ ସମୟରେ ଏକ ଦୃଢ଼ ଆରମ୍ଭ କରିବାରେ ସାହାଯ୍ୟ କରିଛି।
୩୫ ବର୍ଷୀୟ ଷ୍ଟର୍ଲିଙ୍ଗ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ପାଞ୍ଚ ରନ୍ ସ୍କୋରରଙ୍କ ତାଲିକାରେ ପ୍ରବେଶ କରିଛନ୍ତି। ସେ ଏହି ଫର୍ମାଟରେ ୩,୮୭୪ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ନାମରେ ଗୋଟିଏ ଶତକ ଏବଂ ୨୪ଟି ଅର୍ଦ୍ଧଶତକ ଅଛି। ତାଙ୍କ ପୂର୍ବରୁ ବାବର ଆଜମ, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରି କିମ୍ବଦନ୍ତୀ ବ୍ୟାଟସମ୍ୟାନ ଏହି ତାଲିକାରେ ଅଛନ୍ତି।
- ବାବର ଆଜମ (ପାକିସ୍ତାନ) - ୧୩୭ ମ୍ୟାଚ୍, ୪୪୫୩ ରନ୍
- ରୋହିତ ଶର୍ମା (ଭାରତ) - ୧୫୯ ମ୍ୟାଚ୍, ୪୨୩୧ ରନ୍
- ବିରାଟ କୋହଲି (ଭାରତ) - ୧୨୫ ମ୍ୟାଚ୍, ୪୧୮୮ ରନ୍
- ପଲ ଷ୍ଟର୍ଲିଙ୍ଗ (ଆୟାରଲ୍ୟାଣ୍ଡ) - ୧୬୦ ମ୍ୟାଚ୍, ୩୮୭୪ ରନ୍
- ଜସ୍ ବଟଲର୍ (ଇଂଲଣ୍ଡ) - ୧୪୪ ମ୍ୟାଚ୍, ୩୮୬୯ ରନ୍
- ଫ୍ରାଞ୍ଚାଇଜ୍ କ୍ରିକେଟରେ ମଧ୍ୟ ତାଙ୍କର ଦକ୍ଷତା ପ୍ରଦର୍ଶନ କରିଛନ୍ତି
ଷ୍ଟର୍ଲିଙ୍ଗଙ୍କ ପାୱାର-ହିଟିଂ କ୍ଷମତା ତାଙ୍କୁ ବିଶ୍ୱର ବିଭିନ୍ନ ଟି୨୦ ଲିଗରେ ନେଇଛି। ସେ ପାକିସ୍ତାନ ସୁପର ଲିଗ୍, ବାଂଲାଦେଶ ପ୍ରିମିୟର ଲିଗ୍, ILT20, SA20 ଏବଂ ଦି ହଣ୍ଡରେଡ୍ ଭଳି ଲିଗ୍ ଖେଳିଛନ୍ତି। ପିଠି ଆଘାତ ଯୋଗୁଁ ସେ ଅଧିକ ବୋଲିଂ କରି ନାହାଁନ୍ତି, ତଥାପି ତାଙ୍କର ବ୍ୟାଟିଂ ପ୍ରଭାବ ସ୍ପଷ୍ଟ ଭାବରେ ଦେଖାଯାଉଛି।
ଏହି ରେକର୍ଡ ସୃଷ୍ଟିକାରୀ ମ୍ୟାଚ୍ରେ ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୮ ରନ୍ କରିଥିଲା। ଦଳ ପ୍ରାରମ୍ଭରେ ଦୁର୍ବଳ ହୋଇଯାଇଥିଲା। କିନ୍ତୁ ଲୋର୍କାନ ଟକର ଏବଂ କର୍ଟିସ କାମଫରଙ୍କ ମଧ୍ୟରେ ଏକ ଭାଗୀଦାରୀ ଇନିଂସକୁ ସ୍ଥିର କରିଥିଲା। ଶେଷରେ ଜର୍ଜ ଡକରେଲ ଏବଂ ବେଞ୍ଜାମିନ୍ କାଲିଜ୍ ଦ୍ରୁତ ରନ ଯୋଡି ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ।
ଅଧିକ ପଢ଼ନ୍ତୁ: ସଂଖ୍ୟାଲଘୁ ସୁରକ୍ଷା ପ୍ରସଙ୍ଗ ଉଠାଇଲା ଭାରତ