ଇସଲାମାବାଦ୍: ଚୀନଠାରୁ ୪୦ଟି ଅତ୍ୟାଧୁନିକ ଲଢୁଆ ବିମାନ ଜେ-୩୫ କିଣିବାକୁ ପାକିସ୍ତାନ ଯୋଜନା କରୁଛି। ସୋମବାର ଏକ ଗଣମାଧ୍ୟମ ରିପୋର୍ଟରୁ ଏହି ସୂଚନା ମିଳିଛି। ଯଦି ଏହି ଯୋଜନା କାର୍ଯ୍ୟକାରୀ ହୁଏ, ତେବେ ଏହା ହେବ ଚୀନ୍ର ନୂଆ ଜେଟ୍ର ପ୍ରଥମ ରପ୍ତାନି। ହଂକଂସ୍ଥିତ ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟରିପୋର୍ଟ ଅନୁଯାୟୀ, ଏହି ବିକ୍ରି ବେଜିଂର ପ୍ରଥମ ମାମଲା ହେବ, ଯେଉଁଥିରେ ସେ ପଞ୍ଚମ ପିଢ଼ିର ବିମାନକୁ ବିଦେଶୀ ଅଂଶୀଦାରକୁ ରପ୍ତାନି କରିବ।
ପାକିସ୍ତାନୀ ବାୟୁସେନା (ପିଏଏଫ) ୪୦ଟି ବିମାନ କିଣିବାକୁ ମଞ୍ଜୁରୀ ଦେଇଛି, ଯାହା କି ଦୁଇ ବର୍ଷ ମଧ୍ୟରେ ଯୋଗାଇ ଦିଆଯିବ ବୋଲି ଆଶା କରାଯାଉଛି ବୋଲି ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରିଛି। ଏହି ବିମାନ ଗୁଡ଼ିକ ପାକିସ୍ତାନର ପୁରୁଣା ଆମେରିକୀୟ ଏଫ୍ -୧୬ ଏବଂ ଫ୍ରାନ୍ସ ମିରାଜ ଲଢୁଆ ବିମାନର ସ୍ଥାନ ନେବ।
ପାକିସ୍ତାନର ଘୋର ଅର୍ଥନୈତିକ ସଙ୍କଟ ସତ୍ତ୍ୱେ ନୂତନ ବିମାନ କିଣିବା ପ୍ରକ୍ରିୟାକୁ ଆଗକୁ ବଢାଯାଉଛି। ବେଜିଂରେ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ ଏବଂ ସରକାରୀ ଗଣମାଧ୍ୟମରେ ଏଭଳି ଚୁକ୍ତି ବିଷୟରେ କୌଣସି ଉଲ୍ଲେଖ ନାହିଁ। ଜେ-୩୫କୁ ଚୀନ୍ ବିମାନବାହୀ ଜାହାଜ ପାଇଁ ଏକ ଲଢୁଆ ବିମାନ ଭାବେ ବିବେଚନା କରାଯାଏ। ଗତ ମାସରେ ଝୁହାଇ ସହରରେ ଆୟୋଜିତ ବାର୍ଷିକ ଏୟାର ସୋ'ରେ ଏହି ବିମାନକୁ ପ୍ରଦର୍ଶିତ କରାଯାଇଥିଲା, ଯେଉଁଥିରେ ପିଏଏଫ୍ର ଶୀର୍ଷ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଅଞ୍ଚଳରେ ଚୀନ୍ ହେଉଛି ଏକମାତ୍ର ଦେଶ ଯିଏ କି ଷ୍ଟିଲ୍ଥ ଏୟାରକ୍ରାଫ୍ଟ ବିକଶିତ କରିଛି।
ରିପୋର୍ଟ ଅନୁଯାୟୀ, ପିଏଏଫ ମୁଖ୍ୟ ଏୟାର ମାର୍ଶାଲ ଜାହିର ଅହମ୍ମଦ ବାବର ସିଦ୍ଧୁ ଜାନୁଆରୀରେ କହିଥିଲେ ଯେ ଜେ-୩୧ ଷ୍ଟିଲ୍ଥ ଲଢୁଆ ବିମାନ କିଣିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇସାରିଛି। ଚୀନ୍ ଓ ପାକିସ୍ତାନ ମଧ୍ୟରେ ଗଭୀର ସାମରିକ ସମ୍ପର୍କ ରହିଛି। ପାକିସ୍ତାନସେନାର ତିନିଟି ଯାକ ଅଂଶର ଆଧୁନିକୀକରଣରେ ଚୀନ୍ ସାହାଯ୍ୟ କରୁଛି। କୋଟି କୋଟି ଡଲାରର ପ୍ରତିରକ୍ଷା ଖର୍ଚ୍ଚ କରି ଚୀନ ନିଜ ସଶସ୍ତ୍ର ବାହିନୀର ଆଧୁନିକୀକରଣ କରିଛି। ଜେ-୧୭ ଥଣ୍ଡର ଲଢୁଆ ବିମାନକୁ ବିକଶିତ ଓ ପରିଚାଳନା କରିବାରେ ଚୀନ୍ ପାକିସ୍ତାନକୁ ମିଳିତ ଭାବେ ସାହାଯ୍ୟ କରିଛି।
ଅଧିକ ପଢ଼ନ୍ତୁ: ବୋରୱେଲ୍ ଭିତରେ ଫସିଲା ଶିଶୁକନ୍ୟା, ଉଦ୍ଧାର ପାଇଁ ଉଦ୍ୟମ ଜାରି