ଇସଲାମାବାଦ: ସୁଡାନକୁ ପାକିସ୍ତାନ ଅସ୍ତ୍ରଶସ୍ତ୍ର ଏବଂ ବିମାନ ବିକ୍ରୟ କରିପାରେ। ସୂତ୍ର ଅନୁସାରେ ଦୁଇ ଦେଶ ମଧ୍ୟରେ ଖୁବ୍ ଶୀଘ୍ର ୧.୫ ବିଲିୟନ ଡଲାରର ଚୁକ୍ତି ସ୍ୱାକ୍ଷରିତ ହୋଇପାରେ। ସୂଚନାଯୋଗ୍ୟ ଯେ ସୁଡାନ ସେନା ଏବଂ ଅର୍ଦ୍ଧସାମରିକ ରାପିଡ୍ ସପୋର୍ଟ ଫୋର୍ସ ମଧ୍ୟରେ ସଂଘର୍ଷ ଜାରି ରହିଛି। ଏଥିପାଇଁ ସୁଡାନ ମଧ୍ୟ ମାନବିକ ସଙ୍କଟର ସମ୍ମୁଖୀନ ହେଉଛି। ଚୁକ୍ତି ଅନୁଯାୟୀ, ପାକିସ୍ତାନ ୧୦ଟି କାରାକୋରମ୍-୮ ହାଲୁକା ଆକ୍ରମଣ ବିମାନ, ୨୦୦ରୁ ଅଧିକ ଡ୍ରୋନ୍ ଏବଂ ଉନ୍ନତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯୋଗାଇବ।
ପାକିସ୍ତାନ ଚୀନ୍ ସହିତ ମିଳିତ ଭାବରେ ବିକଶିତ କରିଥିବା ଜେଏଫ୍-୧୭ ଲଢ଼ୁଆ ବିମାନ ମଧ୍ୟ ଯୋଗାଇପାରେ। ପାକିସ୍ତାନୀ ସେନା ଏବଂ ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ମନ୍ତବ୍ୟ ଦେଇନାହିଁ। ସୁଡାନ ସେନା ମଧ୍ୟ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହିଁ।
ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଦାବି କରିଥିଲେ ଯେ ପାକିସ୍ତାନକୁ ରେକର୍ଡ ସଂଖ୍ୟକ ଲଢ଼ୁଆ ବିମାନ ପାଇଁ ଅର୍ଡର ମିଳିଛି, ଯାହା ଆଗାମୀ ଛଅ ମାସ ମଧ୍ୟରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଋଣର ଆବଶ୍ୟକତାକୁ ଦୂର କରିଦେଇଛି। ଅପରେସନ୍ ସିନ୍ଦୂର ପରେ ପାକିସ୍ତାନୀ ସାମରିକ ହାର୍ଡୱେୟାରର ବିଶ୍ୱ ଚାହିଦା ବୃଦ୍ଧି ପାଇଛି। ସାଉଦି ଆରବ ମଧ୍ୟ ଲଢ଼ୁଆ ବିମାନ କ୍ରୟ ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଛି।
ଉଲ୍ଲେଖନୀୟ ଯେ ଆଇଏମ୍ଏଫ ଋଣ ବଦଳରେ ପାକିସ୍ତାନକୁ ଏହାର ସରକାରୀ ବିମାନ କମ୍ପାନୀ, ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବିକ୍ରି କରିବାକୁ ପଡିଲା। ଏକ ସାକ୍ଷାତକାରରେ, ଖୱାଜା ଦାବି କରିଥିଲେଯେ ପାକିସ୍ତାନ ଚୀନ୍-ଉତ୍ପନ୍ନ ଲଢ଼ୁଆ ବିମାନ ପାଇଁ ସାରା ବିଶ୍ୱରୁ ଅର୍ଡର ପାଉଛି। ପାକିସ୍ତାନ ୨୦୨୩ ମସିହାରେ ଆଇଏମଏଫ ଠାରୁ ସର୍ତ୍ତମୂଳକ ୭ ବିଲିୟନ ଋଣ ପାଇଥିଲା। ଏହି ଋଣ ପାଇଁ ପାକିସ୍ତାନକୁ ଏକ କଠୋର ସଂସ୍କାର କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ପଡିଲା। ପାକିସ୍ତାନ ଏପର୍ଯ୍ୟନ୍ତ ୪ ବିଲିୟନ ପାଇଛି।
ଅଧିକ ପଢ଼ନ୍ତୁ: ଗ୍ରୀନଲାଣ୍ଡ ଦଖଲ କରିବାକୁ ଉଦ୍ୟମ କରୁଛି ଆମେରିକା! ୟୁରୋପ ପାଇଁ କ’ଣ ହେବ?