ଭୁବନେଶ୍ୱର: ରାଉରକେଲାରେ ଚାର୍ଟର୍ ବିମାନ ଦୁର୍ଘଟଣାକୁ ନେଇ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି । ବିମାନ ଚାଳକ ଜରୁରୀକାଳୀନ ‘ମେ ଡେ’ କଲ୍ କରିଥିଲେ ବୋଲି କହିଛନ୍ତି ନିର୍ଦ୍ଦେଶକ ।
ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଧାନଙ୍କ ସୂଚନା ମୁତାବକ, ଚାର୍ଟର୍ ବିମାନ (VT-KSS) ଅପରାହ୍ନ ୧୨:୨୭ ସମୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ରାଉରକେଲା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଯେଉଁଥିରେ ୪ ଜଣ ଯାତ୍ରୀଙ୍କ ସମେତ ୬ ଜଣ ଥିଲେ । ଠିକ୍ ୧୨:୫୮ରେ ରାଉରକେଲା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ଯୋଗାଯୋଗରେ ଆସିଥିଲା । ଏହା ପରେ ଦିନ ୧:୧୪ରେ ବିମାନ ଚାଳକ ମେ ଡେ କଲ୍ କରିଥିଲେ । ଏହା ୧:୧୭ରେ ଏଟିସି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ତେବେ ପାଇଲଟଙ୍କ ଶେଷ ମେସେଜ୍ ଥିଲା ଯେ ସେ ଏକ ପଡ଼ିଆରେ ଜରୁରୀଅବତରଣ କରୁଛି । ଯାହାକି ଏକ ଫୋର୍ସ ଲ୍ୟାଣ୍ଡିଂ ବୋଲି ନିର୍ଦ୍ଦେଶକ କହିଛନ୍ତି ।
ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ଦିଲ୍ଲୀରୁ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଡ ଇନଭେଷ୍ଟିଗେସନ୍ ବ୍ୟୁରୋ (ଏଆଇଆଇବି) ଆସନ୍ତାକାଲି ଘଟଣାସ୍ଥଳରେ ପହଁଚି ତଦନ୍ତ କରିବେ । ସେହିପରି ଆଜି ଭୁବନେଶ୍ୱର ଏବଂ କୋଲକାତାର ଡିଜିସିଏ ଟିମ୍ ମଧ୍ୟ ଯାଞ୍ଚ ଆରମ୍ଭ କରିବେ ।
ଚାର୍ଟର ବିମାନ ଭୁବନେଶ୍ୱରରୁ ରାଉରକେଲା ଯାଉଥିବାବେଳେ ରାଉରକେଲାରୁ ୧୦ କିଲୋମିଟର ପୂର୍ବରୁ ଜଲଦା ନିକଟରେ ଜରୁରୀ ଅବତରଣ ବେଳେ ବିମାନଟି ଦୁର୍ଘଟଣାର ଶୀକାର ହୋଇଛି । ବିମାନରେ ମୋଟ ୯ଟି ସିଟ୍ ଉପଲବ୍ଧ ଥିବାବେଳେ ୬ ଯାତ୍ରୀ ଉପସ୍ଥିତ ଥିଲେ । ବିମାନରେ ୪ ଜଣ ଯାତ୍ରୀ ସୁଶାନ୍ତ କୁମାର ବିଶ୍ୱାଳ, ଅନୀତା ସାହୁ, ସୁନୀଲ ଅଗ୍ରୱାଲ ଓ ସବିତା ଅଗ୍ରୱାଲ ଏବଂ ୨ ଜଣ କ୍ରିଉ ସଦସ୍ୟ କ୍ୟାପ୍ଟେନ ନବୀନ କାଡ଼ଙ୍ଗା ଏବଂ କ୍ୟାପ୍ଟେନ ତରୁଣ ଶ୍ରୀବାସ୍ତବ ଥିଲେ । ସମସ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।