ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏହାରି ମଧ୍ୟରେ ଭାରତ ଉପରେ ପାକିସ୍ତାନ ପକ୍ଷରୁ ଆକ୍ରମଣ କରାଯାଇଥିବା ‘ଫତେହ-୧’ କ୍ଷେପଣାସ୍ତ୍ର ମାଡ଼ କରି ଏକ ବଡ଼ ଭୁଲ କରିଛି। ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ କିଛି ମିନିଟ୍ ମଧ୍ୟରେ ପାକିସ୍ତାନୀ କ୍ଷେପଣାସ୍ତ୍ରକୁ ଆକାଶରେ ଖସାଇ ଦେଇଥିଲା।
ଫତେହ-୧ ଏକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଏହାକୁ ବହୁତ ବିପଦପୂର୍ଣ୍ଣ ମଧ୍ୟ ବିବେଚନା କରାଯାଏ। ଏହି କ୍ଷେପଣାସ୍ତ୍ର ମାଧ୍ୟମରେ ପାକିସ୍ତାନ ଭାରତର ପଶ୍ଚିମ ଅଞ୍ଚଳର କୌଣସି ସ୍ଥାନରେ ଏକ ରଣନୈତିକ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରୁଥିଲା। ଫତେହ-୧ ହେଉଛି ଏକ ଗାଇଡେଡ୍ ମଲ୍ଟିପଲ୍ ଲଞ୍ଚ ରକେଟ୍ ସିଷ୍ଟମ, ଯାହା ଉନ୍ନତ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ। ୧୪୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ଥିବା ଏହି କ୍ଷେପଣାସ୍ତ୍ରଟି ଅନେକ ପ୍ରକାରର ଯୁଦ୍ଧାସ୍ତ୍ର ବହନ କରିବାରେ ମଧ୍ୟ ସକ୍ଷମ। ଏହି କ୍ଷେପଣାସ୍ତ୍ରକୁ ଟ୍ରକ୍ ଆଧାରିତ ଲଞ୍ଚରରୁ ନିକ୍ଷେପ କରାଯାଇପାରିବ।
ଜମ୍ମୁ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଗତ ମଙ୍ଗଳବାର-ବୁଧବାର ଠାରୁ ଉତ୍ତେଜନା ବୃଦ୍ଧି ପାଇଛି। ଭାରତୀୟ ବାୟୁସେନା ଦ୍ବାରା ଗତ ୭-୮ ତାରିଖରେ ପହଲଗାମର ପ୍ରତିଶୋଧ ନେଲା ପରେ ପାକିସ୍ତାନ ଭୟଭୀତ ହୋଇଯାଇଛି। ପାକିସ୍ତାନ ଗୁରୁବାର ଓ ଶୁକ୍ରବାର ଦିନ ରାଜସ୍ଥାନ, ପଂଜାବ ଓ ଜମ୍ମୁ କଶ୍ମୀରର ଅନେକ ସ୍ଥାନରେ ଡ୍ରୋନ୍ ଓ ମିସାଇଲ୍ ମାଡ କରିଛି। କିନ୍ତୁ ଏଗୁଡ଼ିକ ସଫଳ ହୋଇପାରି ନାହିଁ। ଭାରତର ପ୍ରତିରକ୍ଷା ପ୍ରଣାଳୀ ପାକିସ୍ତାନୀ ଡ୍ରୋନ୍ ଓ ମିସାଇଲ୍କୁ ଧ୍ବଂସ କରିଦେଇଛି। ପାକିସ୍ତାନ ତୁଳନାରେ ଭାରତର ପ୍ରତିରକ୍ଷା ସାମଗ୍ରୀ ଅଧିକ ଶକ୍ତିଶାଳୀ ଥିବା ଯୋଗୁଁ ଶତ୍ରୁରାଷ୍ଟ୍ର ଏବେ ବିଚଳିତ ହୋଇପଡ଼ିଛି। ପାକିସ୍ତାନ ଏଥି ପାଇଁ ଚୀନ, ଇରାନ, କତାର ସମେତ ଅନ୍ୟ ମୁସଲିମ ରାଷ୍ଟ୍ରକୁ ସହଯୋଗ ମାଗିଛି।
ଅଧିକ ପଢ଼ନ୍ତୁ: ସାହାଯ୍ୟ ପାଇଁ ଚୀନ, ଇରାନ ନିକଟରେ ଗୁହାରି କଲା ପାକିସ୍ତାନ